Unknown

 

 

 

 

 

 

 

 

 

ସାଧକର ସ୍ୱପ୍ନ

କୃଷ୍ଣଚନ୍ଦ୍ର ତ୍ରିପାଠୀ

 

ଉତ୍ସର୍ଗ

 

ମୋ ଜନ୍ମମାଟି ବାଣପୁରର ପ୍ରିୟ ସନ୍ତାନ

ଓଡ଼ିଆ ଶିଶୁ-ସାହିତ୍ୟର

ଅନ୍ୟତମ ପ୍ରବୀଣ ସ୍ରଷ୍ଟା

ଶ୍ରୀଯୁକ୍ତ ଜଗନ୍ନାଥ ମହାପାତ୍ର

କାନ୍ତ କରେଷୁ !

•••

 

ସୂଚୀପତ୍ର

 

୧.

ସାଧକର ସ୍ୱପ୍ନ

୨.

ଶୂନ୍ୟନୀଡ଼

୩.

ମୁଁ ଗୋ ଶୁଣୁଥିବି ଜଳ-କଳ-ରବ

୪.

ମାଟି ସରଗ

୫.

ସୋରଡ଼ା ଘାଇର ବନ୍ଧ ଉପରେ

୬.

ବୋଇତି-ବାୟାଣୀ

୭.

ଜୀବନର ପ୍ରିୟା ଚିଲିକା

୮.

ମାଟି ଓ ମଣିଷ

୯.

ଚାଲିବୁ, କିନ୍ତୁ

୧୦.

ବିଶ୍ୱନାଥ ବ୍ରହ୍ମା

୧୧.

ଜୀବନର ସତ୍ୟ

୧୨.

ପଛକୁ ଆସିବି

୧୩.

ଦିନ ଦିନକର କଥା

୧୪.

କବିର ଜବାବ

୧୫.

ଘୁଷୁରି ଗୋଠର ବାଳିକା !

୧୬.

ବଞ୍ଚିତର ବାଣୀ

୧୭.

ସେ’ତ ମୋହରି ସାଥି

୧୮.

ବିଦାୟ ! ଆଲମ !

୧୯.

ସୃଷ୍ଟି

୨୦.

ହୋଟେଲ-ପିଲା

୨୧.

ଆଶ୍ରୟ

୨୨.

ଟିପ୍‌ପଣୀ

Image

 

କାହାକୁ ନେଇ ଆମେ କାହାକୁ ଧରି ଆମେ

ଚାଲିବା ଏତେ ଏତେ କାଳ

କାହିଁକି ଆମେ ଏଥି ଆସିଚେ ଜଣେ ଜଣେ

କେ ଯେବେ ନୁହେ ଏଥି କାର !

କେ ଯେବେ କାହା ପାଇଁ ଢାଳିବ ନାହିଁ ଲୁହ

ଅସୀମ ବେଦନାର ତଳେ

କା’ ଗଉରବେ କିଏ ଉଲୁସି ନ ଉଠିଲେ

ଜୀବନ କାହିଁ ଧରା ପରେ ?

କୃଷ୍ଣଚନ୍ଦ୍ର ତ୍ରିପାଠୀ

Image

 

ସାଧକର ସ୍ୱପ୍ନ

 

ହେ ମୋର ପୃଥିବୀ ! ନ ବୁଝ ନ ବୁଝ ମୋର ସାଧନାର ମୂଲ୍ୟ !

ସକଳର ତଳେ ରହିଥାଏ ମୁହିଁ ନ ହୁଏ କାହାର ତୁଲ୍ୟ;

ମତେ ମନେକର ତୁଚ୍ଛ ଓ ହେୟ

ନ ଦିଅ ନ ଦିଅ ତୁମର ଯା ଦେୟ,

ବୁକୁ ପରେ ମୋର ଭୁସିଦିଅ ଶତ ଅବମାନନାର ଶଲ୍ୟ,

ହେ ମୋର ପୃଥିବୀ ! ନ ବୁଝ ନ ବୁଝ ମୋର ସାଧନାର ମୂଲ୍ୟ;

 

ତୁମରି ପାଇଁ ମୁଁ ଅଶ୍ରୁ ଝରାଏ ଫଟାଇ ମୋହର ବକ୍ଷ

ତୁମରି ସେବାରେ ପୂରିଉଠୁ ମୋର ଜୀବନର ମହାଲକ୍ଷ୍ୟ;

ତୁମରି ମଙ୍ଗଳ କରେ ଅବିରଳ

ଯେତେ ପାରେ ଚାହିଁ ମୋର ବଳକଳ,

ତୁମରି ପାଇଁ ମୁଁ ଉଡ଼ିଉଠେ ନଭେ ବିସ୍ତାରି ଛୋଟ ପକ୍ଷ,

ତୁମରି ପାଇଁ ମୁଁ ଅଶ୍ରୁ ଝରାଏ ଫଟାଇ ମୋହରି ବକ୍ଷ ।

 

ଅନ୍ତର ଭରି ହେ ମୋର ପୃଥିବୀ ! ତୁମରେ ଦିଏ ମୁଁ ଶ୍ରଦ୍ଧା

ତୁମ ଅନ୍ତରେ ଅନ୍ତର ଭରି ନିଶିଦିନ ଥାଏ ବନ୍ଧା,

ଘନ ଅନ୍ଧାରେ ହୁଏ ଆଶ୍ରୟ,

ତିଆଗି ସକଳ ସ୍ୱାର୍ଥ ଓ ଭୟ,

ତୁମ ଆନନ୍ଦେ କଳ ଗୀତ ଗାଇ ବହେ ମୁଁ ଅଳକାନନ୍ଦ,

ଅନ୍ତର ଭରି ହେ ମୋର ପୃଥିବୀ ! ତୁମରେ ଦିଏ ମୁଁ ଶ୍ରଦ୍ଧା ।

 

ଦିଅନା ଦିଅନା ପୌରୁଷ ମୋରେ ଦିଅନା ଦିଅନା ଗର୍ବ,

ସାଧନାର ମୁଁ ଯେ ନିତ୍ୟ ପୂଜାରୀ ସାଧନାହିଁ ମୋର ସର୍ବ,

ସାଧନାରୁ ମୋର ଅମୃତ ଝରେ

ପିଏ ଆନନ୍ଦେ ମୋ କୁଟୀର-ଘରେ,

ସାଧନାର କୋଳେ ଯେବେ ମୁହିଁ ଦୋଳେ ସେ ମୋର ମଧୁର ପର୍ବ

ଦିଅନା ଦିଅନା ପୌରୁଷ ମୋରେ ଦିଅନା ଦିଅନା ଗର୍ବ ।

Image

 

ଶୂନ୍ୟନୀଡ଼

 

ପ୍ରାଣଭରା ଅଭିମାନ କରିବି କା’ ପାଶେ ?

ବକ୍ଷ ଚିରି କ୍ଷତଚିହ୍ନ ଦେଖାଇବି କାରେ ?

ଜୀବନର ଦୁର୍ବିସହ ଅନନ୍ତ ବେଦନା

ଝରି ଝରି ଆସେ ଯେବେ ତପ୍ତଲୁହ ଧାରେ ।

ପୃଥିବୀର ସୀମାହୀନ ମହାଅନ୍ଧକାରେ

ଲୁଚି ମୁଁ ଯାଆନ୍ତି ହେଲେ ନ ଆସନ୍ତି ଫେରି,

ମତେ କିମ୍ପା କଲବଲ କରୁଅଛ ତମେ ?

ପାରୁନି ଧରାରେ ମୁହିଁ ଲବେ ହସିଖେଳି।

ତୁମକୁ ମୁଁ ଦେଇନି କି ? ପରମ ସମ୍ମାନ

ଗୌରବର ସିଂହାସନେ ନାଇଁ କି ବସାଇ ?

ତୁମକୁ ମୁଁ ପ୍ରାଣଭରି ପାଇନି କି ଭଲ ?

ପ୍ରାଣର ଅନନ୍ତ ମାୟା ସମୁଦ୍ରେ ଭସାଇ ।

ତୁମରି ମଙ୍ଗଳ ପାଇଁ ମୋ ଅନ୍ତରତଳୁ

ଫୁଟିନି କି ? ଚିରନ୍ତନ ବାଣୀ ଶୁଭଙ୍କର,

ତୁମରି ବେଦନା ଦୁଃଖ ଟିକକ ଦେଖିଲେ

ଉଠିନି କି କମ୍ପି ମୋର ମହା ଅଭ୍ୟନ୍ତର ?

ତୁମରି ପ୍ରାଣର ପ୍ରାଣ ନ ଥିଲି କି ମୁହିଁ ?

ତୁମ ବୁକୁ ଶୋଣିତର ପ୍ରତି ବିନ୍ଦୁ ତଳେ,

ସୁଖ ଦୁଃଖ ଅନୁଭୂତି ଦେଖୁଥିଲି ନିକି ?

ମତେ କିମ୍ପା ଚାହଁ ଆଜି ଏତେ ହତାଦରେ ?

କୁକ୍‌କୁର ମାଙ୍କଡ଼ ପରି, ମୋ ବ୍ୟକ୍ତିତ୍ୱ ପରେ

ତୁମେ କିମ୍ପା ଆଣିଦିଅ ଗୁରୁକଷାଘାତ ?

ତୁମେ ସେଇ, ଚାହୁଁଥିଲ ଅମୃତ ନୟେନେ,

ଆଜି କିମ୍ପା ରହିଅଛି କରିଣ ପଶ୍ଚାତ୍‌ ।

ସାତ ଭଗାରିରୁ ବଳି ନିଠୂର ନିର୍ମମ

ତୁମେ କିମ୍ପା ହେଲ ଆଜି କହ ମୋହ ପରେ ?

କି ବିଷକଣିକା କିଏ ଅମୃତର ଘଟେ-

ମିଶାଇଲା, ମୋ ନୟନୁ ଆଜି ଅଶ୍ରୁ ଝରେ ।

ଏ ଦରିଦ୍ର ଜୀବନରେ ଦିନେ ଦଣ୍ଡେ ପାଇଁ,

ସ୍ୱପ୍ନେ ଜାଗରଣେ ମୁହିଁ ନ ଥିଲି ବିଚାରି,

ତୁମେ ସେଇ, ଦିନେ ମତେ ପଚାରିବ ନାଇଁ;

ଚାଲିଯିବ ମୁଖେ ମୋର ବୋଳି ଦେଇ କାଳି;

ଏ ବନ ପ୍ରାନ୍ତର ପଥ ସାଗର ସରିତ,

ଏ ସବୁରେ ଏକା ଆଜି ବୁଲିଗଲାବେଳେ,

ବୁଲି ତ ପାରୁନି ମୁହିଁ ମନ ବିନୋଦନେ

ପ୍ରତି ପଦ ପାତେ ସେଇ ସ୍ମୃତଟିକ ଖେଳେ ।

ଏ ପରାଣୁ ବଳି ଯେତେ ଦେଇଚି ମମତା

ସେ ସମସ୍ତ ଚାଲିଗଲା କେଉଁଆଡ଼େ କାହିଁ ?

ଟିକିଏ ଟିକିଏ ଖାଲି କ୍ଷଣିକ ବିରାମେ

ତୁମ ମନ ତଳେ ଲବେ ଜାଗିଲା ତ ନାଇଁ ?

ଏକବାର ପୋଛିଦେଲ ପୋଛିଦେଲ ତମେ !

ମୋ ଅସହ୍ୟ କ୍ଷତି ପାଇଁ ରଚିଲ ସଂଗ୍ରାମ !

ମୁଁ ତଳିତଳାନ୍ତ ହେଲେ ଦିନ ଦିନ ଧରି,

ତୁମରି ଫୁଟିବ ଯେହ୍ନେ ବିଜୟର ବାଣ !!

ପୃଥିବୀର ବକ୍ଷପଟୁ ମୁଁ ନିଶ୍ଚିହ୍ନ ହେଲେ

ତୁମରି ଆନନ୍ଦ ହେବ ଫୁଟିବ କଲ୍ୟାଣ,

କାହିଁକି ମା ଏତେ ଏତେ ଅହନ୍ତା ମୋ’ ପରେ

ଏତେ ଆପଣାର, ହେଲି ମହାଶତ୍ରୁ ସମ !!

ଆଉ ମୁଁ ତୁମକୁ ଚାହିଁ ବସିବି ତ ନାଇଁ

ଫେରିଯିବି ଜୀବନର ମହାଶୂନ୍ୟ ନୀଡ଼େ ।

ସମ୍ଭାଳି ପାରିବି ରହି ? ହୁଏ ନି ପରତେ

କାରେ ନେଇ ବଞ୍ଚିବି ମୁଁ ମହାସୃଷ୍ଟି ତୀରେ ?

ଆଗକୁ ପଛକୁ ଆଉ କିଏ ଥିଲା ମୋର ?

ତୁମକୁ ହିଁ କରିଥିଲି ପରମ ଆଶ୍ରୟ,

ଗଛ ଯେବେ କଟାହୋଇ ପଡ଼ିଗଲା ତଳେ

ରୁଦ୍ର ମରୁ ଗରଜିବ ତହିଁ ଅହରହ ।

ତୁମେ-ମୁହିଁ ଥିବା ଆଜି ଯେହ୍ନେ ଦୁଇ ଆଡ଼େ

କେ କାହାରେ ଚାହିଁବାନି କ୍ଷଣେ ଦଣ୍ଡେ ପାଇଁ

ଜୀବନେ କି ଜାଗୁଥିବ ତୀବ୍ର ପ୍ରତିଶୋଧ ?

କା’ ଉପରେ ପଡ଼ିଗଲେ କାହାର ବା ଛାଇ !

ଏଇ ହେଲା ପରିଣାମ ଏତେ ମମତାର

ଏଇ ହେଲା ଶେଷ ଗତି ତୁମ ମୋ ଭିତରେ,

ମୋ ଭିତରେ ଉଠିଲେକ କାନ୍ଦି ଶତବାର

କମ୍ପନ ଆସେନି ଲବେ ତୁମ ବୁକୁତଳେ ?

କଠୋର ପାଷାଣେ ଯେବେ ଗଢ଼ିଥାନ୍ତି ହିଆ,

ଏହି ତୀବ୍ର ବେଦନା ଅବା ପାରିଥାନ୍ତି ସହି,

ପିଶାଚର ନିର୍ମମତା ଥିଲେ ଅବା ମୋର,

ଏତେ କକର୍ଥନା ପାଇ ନୋହୁଥାନ୍ତି ଦହି ।

ମୋ ଦେହ ମନର ଶତ ସୂକ୍ଷ୍ମ ସ୍ନାୟୂମାଳା

ଲୁହା ଶିକୁଳିରେ ଯେବେ ହୋଇଥାନ୍ତା ଗଢ଼ା,

ଏତେ ଦୁଃଖ ଏତେ କଷ୍ଟ ଏତେ ଯେ ତାଚ୍ଛଲ୍ୟ

ଲବ ମାତରକେ ନାଇଁ ଛୁଉଁଥାନ୍ତା ପରା !

କବିର ଅନ୍ତର ଧରି ଏ ମାଟି ଉପରେ

ମୁଁ ଚାଲି ଆସିଚି ଯେବେ ଶୈଶବୁଁ ଏ ଯାଏଁ

ଟିକିଏ ଆଘାତ ହେଲେ ସହି ନାଇଁ ପାରେ

ଦରିଦ୍ର କୁଟୀରେ କାନ୍ଦେ ଶିଶୁ ପରି ପ୍ରାୟେ ।

ମୋର ଏ ଯେ ଦୁର୍ବଳତା ମହା ଦୁର୍ବଳତା

ମନେ ହୁଏ ମତେ ପଙ୍ଗୁ ଦେଇଅଛି କରି

ଆଶ୍ଚର୍ଯ୍ୟ ମୁଁ ହୋଇଯାଏ ଦେଖି ଧରଣୀରେ

କେମନ୍ତେ ଅଛନ୍ତି ଜନେ ପାଷାଣରୁ ବଳି ।

ଶ୍ୟାମଳ ସବୁଜ ବନ ପ୍ରାନ୍ତର ପରାଏ

ଦିଶୁନି ଅନ୍ତର କା’ରେ ବାରେ ଛନ ଛନ,

କୁସୁମର ଗନ୍ଧ ପରି ଯିବାକୁ ପ୍ରସରି

ନିମିଷକ ପାଇଁ କେହି କରୁନାଇଁ ମନ ।

ସାଗର ଉଚ୍ଛ୍ୱାସ ପରି ପ୍ରାଣର ମମତା

କେ କାହାରେ ଅଯାଚିତେ ଦେଉନାଇଁ ଢାଳି,

ଅନନ୍ତ ଆକାଶ ପରି ଲକ୍ଷଜୀବନରେ

କେ କାହାରେ ଚାହୁଁ ନାଇଁ ହୃଦୟ ପ୍ରସାରି ।

ସୃଷ୍ଟିର ଏ ପ୍ରାଣହୀନ ଜୀବନ ବିଲୋକି,

ଏତେ କଷ୍ଟ ଏତେ ବାଧା ମତେ କିମ୍ପା ଲାଗେ ?

ଏ ସୃଷ୍ଟିକୁ ପ୍ରାଣଭରି ଭଲ ପାଇବାରେ

ଏ ଦୁଃଖ ଦୁର୍ଦଶା କିମ୍ପା ପ୍ରତି ନିତି ଜାଗେ ?

କହ ସୃଷ୍ଟି ! କହ ମତେ କହ ବାର ବାର

କାହାରେ ମୁଁ ଦେଇଚି ବା ନିର୍ମମ ଆଘାତ

କା ଆଖିରୁ ଅଶ୍ରୁ କାଢ଼ି କାହା ଶିରେ ଅବା

କରିଚି ମୁଁ ସୀମାହୀନ ଉତ୍କଟ ଉତ୍ପାତ ।

ମୋର ଯେହ୍ନେ ମନେ ହୁଏ ଏଇ ମାଟି ପରେ

ସକଳ ବିଭେଦ ଭୁଲି ସକଳର ସହ

ହସି ଖେଳି ଚାଲିଚି ମୁଁ ଦିନ ଦିନ ଧରି

ସଭିଏଁ ମୋ ଜୀବନର ସାଥୀ ପରିଚୟ !

ସବୁରି ଐଶ୍ୱର୍ଯ୍ୟ ସୁଖ ମୋହନ ସମ୍ପଦେ

ନାଚି ଉଠେ ମୋ ଅନ୍ତର ଅନନ୍ତ ଆବେଶେ

କେହି କି ବୁଝଇ ମତେ ଜଣେ ହେଲେ ଲୋକ ?

ଚାଲିଚି ମୁଁ ଧରଣୀରେ କି ମଧୁ ଉଦ୍ଦେଶେ ।

ଟିକିଏ ତ ଆସିଲନି କହିଲନି ମତେ

କାହିଁକି ମୋ ପାଇଁ ତମେ ହୋଇଚ ପାଷାଣ ?

ଟିକିଏ ତ ବୁଝିଲିନି କି ବିରାଟ କରି,

ମୁଁ ତୁମକୁ ଦେଖୁଥିଲି ଭରି ମୋର ପ୍ରାଣ ।

ରହିଲ ରହିଲ ତୁମେ ଦୂରେ ବହୁଦୂରେ

ପ୍ରାଣର ଏକାନ୍ତ ପ୍ରିୟ ଅତି ଆପଣାର

କା’ ଘେନି ଆନନ୍ଦ ମୋର କା’ ଘେନି ଜୀବନ ?

କା’ ଘେନି ଏ ଆକାଶ ଅବନୀ, ଗଛପତ୍ରମାଳ !!

Image

 

ମୁଁ ଗୋ ଶୁଣୁଥିବି ଜଳ-କଳ-ରବ

 

ମୁଁ ଗୋ

ଶୁଣୁଥିବି ଜଳ-କଳ-ରବ !

ମୋର

ଜୀବନର ସେ’ଯେ ବଇଭବ ।

ମୁଁ ଗୋ

ସବୁଜ ବିଲର ହିଡ଼ ତଳେ,

କାନ

ପାତି ବସିଥିବି କୁତୁହଳେ !

ଶିରେ

ଶୁଭ୍ର ବାଦଲ ଭାସିଯାଉ,

ଗିରି,

ଚୂଳେ ଚୂଳେ କାହିଁ ଚରୁଥାଉ,

ନଈ

ବହି ଯାଉଥାଉ ଦୂରୁ ଦୂରେ,

କରି

ଗୁରୁଗରଜନ କୂଳେ କୂଳେ;

କାହିଁ

କୃଷକ କିଶୋରୀ ଗୀତ ତାନ,

କରୁ

ଆକୁଳ ଧରଣୀ ମନ ପ୍ରାଣ ।

ଫେରୁ

ଗୋରୁଗୋଠ ଦୂର ବଣ ତଡ଼ୁ,

ଟିପା

ଶବଦେ କାନନ ଦୋ ଭରୁ;

କାହିଁ

ବଂଶୀ ବଜାଇ ଗାଈଆଳ,

ଛତା

ଟେକି ହେଉଥାଉ ନଈ ପାର,

ଦୂର

ପାହାଡ଼ର ଯାଏଁ ଧାନ ଖେତ

ଥାଉ,

ଉଡ଼ାଇ ସୋହାଗେ ନୀଳ ନେତ;

ମୁଁ ଗୋ

ଶୁଣିଥିବି ଜଳ-କଳ-ରବ !

ମୋର

ଜୀବନର ସେ ଯେ ବଇଭବ।

ମୁଁ ଗୋ

ସବୁଜ ବିଲର ହିଡ଼ ତଳେ,

କାନ

ପାତି ବସିଥିବି କୁତୁହଳେ !

ଦୂରେ

ଠିଆ ହୋଇଥାଉ ତାଳବଣ,

କିବା,

କେଉଁ ରାଇଜର ସେନାଗଣ !

ନଈ

ଆରପାରେ ସେଇ ବଟ ତଳେ,

ଠିଆ

ହୁଅନ୍ତୁ ବାଟୋଇ ଖରାବେଳେ,

କେଉଁ

ପଲ୍ଲୀ କିଶୋରୀ ସୁକୁମାରୀ,

ଯାଉ,

ଶାଶୁଘର ପଥେ ଚାଲି ଚାଲି

ଭାଇ

ଆଗରେ ତାହାର ଚାଲିଥାଉ,

ଭାଳି,

କେତେ କୋଶ ବାଟ ଅଛି ଆଉ !

ବିଲେ,

କୃଷକ ବାପୁଡ଼ା ଦେଉ ମଇ,

ଗୀତ

ଗାଉଥାଉ କେବେ ରହି ରହି,

ଧାନ

ରୋଉଥାନ୍ତୁ ବିଲେ ଶଅରୁଣୀ,

ସୁଖ

ଦୁଃଖ ନିଜର ଗୁଣି ଗୁଣି !

ପିଲେ

ଯାଉଥାନ୍ତୁ ଗୋ ପାଠ ପଢ଼ି,

କେତେ

ଅଣ୍ଟିରେ ମୁଢ଼ି ଚୂଡ଼ା ଭରି ।

କେଉଁ

ଗରିବ ଘରର ପିଲାଟିଏ

ଭୂଜା,

ନାଇଁ ନିରାଶେ ବି ଚାଲିଥାଏ !

ମୁଁ ଗୋ

ଶୁଣୁଥିବି ଜଳ-କଳ-ରବ !

ମୋର

ଜୀବନର ସେ’ଯେ ବଇଭବ।

ମୁଁ ଗୋ

ସବୁଜ ବିଲର ହିଡ଼ ତଳେ,

କାନ

ପାତି ବସିଥିବି କୁତୁହଳେ;

ମୋର

ଅସୀମ ଅଭାବ ରହିଛି ଗୋ !

ମୋର

ନୟନ ଲୋତକ ବହିଛି ଗୋ !

ମୋର

କେହି ତ ନାଇଁ ଗୋ ଜଣେ ସାହା !

ମୋର

ଦୁଃଖେ କରେନି କେହି ଆହା !

ମୁଁ ଗୋ

ଅସୀମ ଅଭାବ ସମୁଦରେ,

ନିତି

ମଉନେ ନୀରବେ ବୁଡ଼ି ମରେ;

ମୁଁ ତ,

ମଣିଷ ବୋଲି ଗୋ ନୁହେ ଗଣା !

ମୋର

କାହିଁବା ବିଭବ ଅକଳନା?

ମୋରେ

ନ ଲୋଡ଼ୁ କିଏ ସେ ବଡ଼ କରି,

ମୁଁ ଗୋ

ଦରିଦ୍ର ହୋଇ ଥାଏ ପଡ଼ି

ମୋର

ନୟନୁ ଅଶ୍ରୁ ଯାଉ ବହି,

କିଏ

ପୋଛି ନ ଦେଉ ଗୋ ଦୟାବହି;

ମୁଁ ଗୋ

ଶୁଣୁଥିବି ଜଳ-କଳ-ରବ !

ମୋର

ଜୀବନର ସେ’ଯେ ବଇଭବ !

ମୁଁ ଗୋ

ସବୁଜ ବିଲର ହିଡ଼ ତଳେ,

କାନ

ପାତି ବସିଥିବି କୁତୁହଳେ !

ମୋର

ସବୁ ହୋଇଯାଉ ନିଃଶେଷ,

ମୋରେ

ନ ମିଳୁ ଗୋ ହେଲେ ଭିକ ଲେଶ,

ମୁଁ ଗୋ

ଅସହାୟ ହୋଇଯାଏ ଅତି,

ମୋର

ଯେତେ ଯାହା ଅଛି ହେଉ କ୍ଷତି,

ମୋର,

କୁଆଡ଼ିକି ନାଇଁ ଲକ୍ଷ୍ୟ ଗୋ,

ମୋର

ଏ ଯେ ରୂପପାୟୀ ବକ୍ଷ ଗୋ,

ଏଇ

ସୀମାହୀନ ମହାବିଶ୍ୱରେ

ଗୀତ

ଶୁଣୁଥାଉ ମହାହର୍ଷରେ !!!

ଏଇ

ଶାରଦ ଶ୍ୟାମଳ କିଆରୀରେ ।

ପାଣି

ଲମ୍ଫ ଦେଉ ଗୋ ଧୀରେ ଧୀରେ,

ଖାଲି

କୁଳୁ କୁଳୁ କୁଳୁ ମଧୁତାନ

ଫୁଟି

ଆସୁଥାଉ ନୋହି ଅବସାନ ।

ମୁଁ ଗୋ

କାନ ପୋତି ଖାଲି ଶୁଣେ ରହି

କେଉଁ

ଅଜଣାରୁ ସେହୁ ଆସେ ବହି !!

ମୋର

ଶତସମ୍ପଦ ତହିଁ ଠୁଳ

ମୋର

ମଣିଷ-ଜୀବନ ଭରପୂର !

ମୁଁ ଗୋ

ଶୁଣୁଥିବି ଜଳ-କଳ-ରବ,

ମୋ

ଜୀବନର ସେ’ ଯେ ବଇଭବ,

ମୁଁ ଗୋ

ସବୁଜ ବିଲର ହିଡ଼ ତଳେ

କାନ

ପାତି ବସିଥିବି କୁତୁହଳେ !!

Image

 

ମାଟି ସରଗ

 

ଏଠି ମୁଁ ରଚିଛି କୁଟୀର ମୋର

ସେନେହ ଶରଧା ସୋହାଗ ବହି

ଯେତେ ଯହିଁ ଦେଖେ ପାହାଡ଼, ନଈ,

ଗାଆଁ ବିଲ, ବଣ, ପଡ଼ିଆ ପଥ,

ସରିତ-ସାଗର ଊର୍ମି ଶତ,

ଉପରେ ଆକାଶ ଧରଣୀ ତଳେ

କାହାରେ କେତେ ମୁଁ ସେନେହ କରେ !

 

ଏଠି ମୁଁ ସତତ କରଇ ଲୀଳା,

ହସି ଖେଳି ଦିନ ନିଏ ମୁଁ ବାହି,

କେତେ ସଖା ସାଥି ସୋଦର ନାଇଁ !

ଉଷାର ଅଙ୍କେ ତପନ ଫୁଟେ,

ଦିଶି ଦିଶି ଧୀର ସମୀର ଛୁଟେ,

ରଜତ ଚନ୍ଦ୍ର ଆସଇ ଉଇଁ

ବୁକୁତଳ ଯାଏ ଗଭୀରେ ଛୁଇଁ !

 

ଏଠି ମୋ ବକ୍ଷ ଉଠଇ ନାଚି !

ମେଘ ଯେବେ ଚରେ ପହା ଖୋଲେ,

ଫୁଲ ଯେବେ ଧୀର ସମୀରେ ଦୋଳେ,

ଇନ୍ଦ୍ରଧନୁର ବରଣ ବିଭା

ସପନ ପୁରୀ ସେ ରଚଇ କିବା ?

ଝର ଝର ଯେବେ ଝରଣା ଝରେ

ଶିଳା ବନ୍ଧୁର ତଳପ ପରେ,

ଏଠି ମୋ ଜୀବନ ଫୁଟାଏ ଛଇ,

ପ୍ରିୟଜନ ହସି କହିଲେ କଥା

ତୁଟଇ ବୁକୁର ଗଭୀର ବ୍ୟଥା !

ଅଭିମାନେ ଯେବେ ନୀରବେ ରହେ,

କାହା ଓଠ ହସି ବାରତା କହେ ।

କାହା ଚମ୍ପକ ଅଙ୍ଗୁଳିର-

ପରଶେ, ମରମୁ ଫୁଟଇ ଗୀର !

 

ଏଠି ଅଭିଳାଷ ଲକ୍ଷ୍ୟ ମମ

କି ବିଶାଳ କିବା ମହତ ନୁହେ !

ଧାଏଁ କି ସୌମ୍ୟ ସାଧନା ସୁଏ !

ମୋ କାନେ କିଏ କି ମନ୍ତ୍ର ଦିଏ,

ଦୂରେ ଦୂରେ କିଏ ନୀରବେ ନିଏ

ସକଳ ଝଞ୍ଜା ଚରଣେ ଦଳି,

ମୋ ବାଟ ମୁଁ କାଟେ ସିଂହ ପରି !

 

ଏଠି ମୁଁ କାନ୍ଦେ ଏଠି ମୁଁ ହସେ,

କେତେ ଲୁହ ଏଥି ପଡ଼ିନି ଝରି !

ଦେଖିଚି ଏ ବଣ ପାହାଡ଼ ଦରୀ

କେତେ କାହା ପାଇଁ ପରାଣ ମମ

ଆକୁଳେ କରିଚି ଅନ୍ୱେଷଣ !

କେତେ କାହା ମୁହଁ ଯାଏନି ଦିଶି !

ଭାଳି ହୁଏ ସବୁ ଦିବସ ନିଶି;

 

ଏଠି ଏ ମାଟିରେ ପଡ଼ିବି ଢଳି

ଆସିବ ଯେ’ଦିନ ଡ଼ାକରା କାହୁଁ,

ଲୋଡ଼ିଲେ କି ରହି ପାରିବି ଆଉ ?

କି ବିଶାଳ ମୋର ସରଗଟିଏ

ଛାଡ଼ିଯିବି ବାରେ ଭାଳିଚି କିହେ ?

ଏତେ ଆପଣାର ଗରଗ ଏଇ

କେସନେ ଯିବି ମୁଁ କାହାରେ ଦେଇ ?

 

ଏଠି ଏ ମାଟିରେ ମୋହରି ବେଣୁ

ବାଜିବନି ଆଉ ନିମେଷ ପାଇଁ !

ଯାଇଥିବି କେଉଁ ସୁଦୂରେ କାହିଁ ?

ଏତେ ମରମର ସେନେହ ମାୟା

ଏତେ ସୁଷମାର ଧରଣୀ ଆହା ।

ରହିବ ସକଳ ରହିବ ଦୂରେ

ଫେରିବନି ଆଉ ତିଳେ ଏପୂରେ !

 

ଏଠି ଏ ମାଟିରେ ଜୀବନ ଧରି,

ଯେତେ ଦିନ ଥିବି ଥାଏ ମୁଁ ରହି ।

ସକଳର ପ୍ରତି ସେନେହ ବହି;

ସବୁରି ମରମେ ମରମ ଢାଳି,

ଗୋଳି ହୋଇଯାଏ ଭେଦ ନ ବାରି ।

ଯେ ଦିନ ବୁଜିବି ନୟନ ଦୁଇ

ମନେ ପଡ଼ୁଥିବ ଧରଣୀ ଭୂଇଁ !

 

ଛାଡ଼ି ଯିବା ପାଇଁ ହୁଏ କି ମନ ?

ପ୍ରତି ରେଣୁକଣା ଏଇ ମାଟିର

କେଡ଼େ ଭଲ କେଡ଼େ ଦିଶେ ରୁଚିର !

ଆଜି ଏଥି କେତେ ମମତା ଥାଏ

କାଲି ଯିବି କେଉଁ ଅଜଣା ଗାଏଁ !

କାଲି ନିଭିଯିବ ନୀରବେ କାହିଁ

ମୋ ପାଇଁ କିଏ କି ଭାଳିବ ନାଇଁ ?

 

ଏଇ ଯେ ପାହାଡ଼ ରହିଛି ଉଭା !

ତାହାରେ ଚାହିଁ ମୁଁ କବିତା ଗାଏ,

ଚଇତ ଫଗୁଣ ମଳୟ ବାଏ;

ଏଇ ଯେ ସରସୀ ସଲିଳ ଘାଟ,

ପଲ୍ଲି କିଶୋରୀ ପିନ୍ଧି ପାଟ,

ଲଘୁପଦ ଚାଳି କୁଟୀରେ ଫେରେ;

ତା’ ଓଠ ହାସ ମୋ ବୁକୁରେ ଖେଳେ !

 

ଏଇ ଯେ କ୍ଷୁଦ୍ର ପଲ୍ଲୀ ଗାଆଁ

ଆମ୍ର ବେତସ କୁଞ୍ଜ କୋଳେ

ସୁଖେ ଦୁଃଖେ ତା’ ନୀରବେ ଦୋଳେ;

ଜନମ କାଳରୁ ତା’ ତୁଲେ ମୋର

ପରିଚୟ କିବା ନିବିଡ଼ତର !

ତା’ ପାଣି ପବନେ ଏ ଦେହ ଗଢ଼ା?

କିଭଳି ତାହାକୁ ଭୁଲିବି ଭଲା ?

 

ଏଇ ଆମ ଘର ପାଖକୁ ଲାଗି,

ଗରିବ ମୂଲିଆ କୁଟୀରମାଳା

ଯହୁଁ ଫୁଟେ ଲୁହ-ବେଦନା ଧାରା;

କିଏ ସେ ଖାଇଚି କିଏ ସେ ନାଇଁ

ସାଉ ଦେଣା ସୁଝି ଜୀବନ ଯାଇ ।

ଅଭାବ ଭିତରେ ଜୀବନ ଚଳେ,

କା’ ବ୍ୟଥା କେ ବୁଝେ ଧରଣୀତଳେ !

 

ତେଲ ଟୋପେ ନାହିଁ ନୁଖୁରା ବାଳ

ଚିରା ଲୁଗାଟିରେ ବରଷେ ଯାଏ,

ଦିହ ଦିଶେ ପ୍ରେତ ପ୍ରତିମା ପ୍ରାୟେ ।

ମୁଠି ଶାଗ ଜାଉ, ଲୁଣ ରୁଆଏ-

ଖାଇ କେ ଜୀବନଗୋଟି ବିତାଏ;

ଘରୁ ପାଣି ଗଳେ ରହିବା ପାଇଁ

ଓଦା ଚାରିଆଡ଼ ଥାନ ବି ନାଇଁ;

 

ସବୁରି ଦୁଃଖ, ବେଦନା, ହାସ,

ଶୋଣିତେ ଶୋଣିତେ ରହିଚି ଲେଖା

ଖୋଜି ଗଲେ କାଲି ଦବନି ଦେଖା;

କିଏ ସେ କିଭଳି କାଟିବ କାଳ ।

ବହୁଥିବ କାର ନୟନୁ ଧାର !

କା’ ଲୁହ ବେଦନା ବୁଝିବି ନାଇଁ

ଯାଉଥିବି କେଉଁ ସୁଦୂରେ କାହିଁ !

 

କାହାର ବିଜୟ ଗରବ ଗାଥା

ହସି ହସି କିଏ କହିବ କାରେ

ଶୁଣି ପାରିବିନି ଜୀବନେ ବାରେ;

ମିଶିଯିବି କେଉଁ ଅସୀମେ କାହିଁ ?

ଝୁରି ହେବି ମାଟି ଟିକକ ପାଇଁ;

ନ ଆସେ ଏଥି ମୁଁ ଲେଉଟି ଆଉ

ମୋ ମାଟି-ସରଗ ସୋହାଗେ ଥାଉ !

Image

 

ସୋରଡ଼ା ଘାଇର ବନ୍ଧ ଉପରେ

 

ବନ୍ଧୁ ହେ ମୋ ! ସୋରଡ଼ା ଘାଇର ବନ୍ଧ ଉପରେ

ଟିକିଏ ବୁଲିବା ପାଇଁ

ତୁମରେ ମୁଁ ଥିଲି ଡାକି,

ଜ୍ୟୋତ୍ସ୍ନା ରାତିରେ ତୁମେ ମୁହିଁ ଦୁଇଜଣ,

ବସିଅଛେ ଏଇ ବନ୍ଧ ଉପରେ

ଜ୍ୟୋତ୍ସ୍ନାର ରେଣୁ ଏଇ ଦେହେମନେ ମାଖି;

ଅତୀତ ଆଉ ଯେ ଭବିଷ୍ୟତର ଅନ୍ତରଭରା କଥା

ପରସ୍ପରରେ କହି

ଏଇ ମୁହୂର୍ତ୍ତଟିକ ସୋହାଗେ ନଉଚେ ବାହି !

ମୁଁ ଯେ ଚାଲିଯିବି କାଆଲି ସକାଳେ

ମୋହରି କୁଟୀରପୁରେ,

ତୁମେ ଚାଲିଯିବ ତୁମରି କୁଟୀରେ

ଏଇ ନିମେଷର ଏ ଯେ ସଂପଦ,

ଆଉ ତ ମିଳିବ ନାଇଁ !!

କେତେ ଯୁଗ ପରେ ତୁମେ କାଇଁ ଥିବ

ମୁଁ ବା ରହିଥିବି କାହିଁ !

ଦେଖା ସାକ୍ଷାତ ଜୀବରେ କେବେ

ନୋହିପାରେ ନୋହିପାରେ !!

ଏ ନୀଳ ଆକାଶ,

ଏ ନୀଳ ପାହାଡ଼,

ଏ ଯେ ନୀଳ ଜଳରାଶି,

ଏଇ ଯେ ଜ୍ୟୋତ୍ସ୍ନା,

ଏ ଯେ ମହାବିଜନତା,

ଏଇ ଯେ ମଳୟ-ଗନ୍ଧ-ଆକୁଳ,

ଏ ଯେ ଦାର୍ଶନିକର ମୁଗ୍‌ଧ-ଚାହାଣୀଭରା-

ସୁଦୂର ଚକ୍ରବାଳ,

ଆମ ଜୀବନର ପ୍ରତି ତନ୍ତ୍ରୀରେ

କିବା ଅମୃତମାୟା

ନିମିଷୁ ନିମିଷେ ଢାଳେ !

ସୋରଡ଼ା ଘାଇର ବନ୍ଧ ଉପରେ

ଆମେ ଯେ ବନ୍ଧୁ ଦୁଇଜଣ ଦୁଇଜଣ

ଅନ୍ତରେ ଭରି ଅନ୍ତରଟିକ

ଦେଖୁଅଛେ କିବା ମୁଗ୍‌ଧ ସପନ

ସୁନ୍ଦର ଅନୁପମ !

ଏଇ ଜୀବନର ବହୁ ଶତାବ୍ଦୀ ପରେ

ଆମେ ମରି ହଜି ମିଶିଯାଇଥିବା

କେଉଁ ଅସୀମର ବିରାଟ ବକ୍ଷ ତଳେ !

ଆମକୁ କିଏ ସେ ଜାଣିବେ ତ ନାଇଁ

ଦେଖିବେ ତ ନାଇଁସତେ !

ବୁଝିବେ ତ ନାଇଁ

ଥିବ ଏ ସୋରଡ଼ା ଘାଇ,

ଥିବ ଏ ଆକାଶ,

ଥିବ ଏ ଜ୍ୟୋତ୍ସ୍ନା,

ଥିବ ଏ ବଳୟ-

ଦୂର ଦିଗନ୍ତ ପଥେ;

କିଏ କେତେ ଆସି ସାନ୍ଧ୍ୟ ବିହାରେ,

ମନ ବିନୋଦନେ ଦିନ ନେଉଥିବେ କାଟି,

ଆମେ ଯେ ବନ୍ଧୁ ବସିଥିଲେ ଏଇ ମାଟି ଚେକିକରେ,

କାହାର ସ୍ମୃତିରେ କାହିଁକି ବା ଯିବ ନାଚି ?

ଜୀବନର କେତେ ଜୟ ପରାଜୟ,

ସୁଖ ଓ ଦୁଃଖ କେତେ ମାନ ଅପମାନ;

ତୁମେ ମୁହିଁ ଆମେ କେଉଁଠାରେ ଥିଲେ

ଗୋଟିଏ ବୃନ୍ତେ ଯୁଗଳ କଳିକା ପରି,

କିଏ ସେ କିଭଳି ବିଚ୍ୟୁତ ହେଲେ

ହେଲେ କେତେ ହଇରାଣ,-

ଆଜି ପଡ଼ିଯାଏ ମନେ,

ସେ ଦିନର ସବୁ କଥା,

ପଥରର ଗାର ପରି,

ରହିଚି ବନ୍ଧୁ ରହିଥିବ ସବୁଦିନେ !

ଧମକ ଉପରେ ଧମକ କିଭଳି ମେଘ ଗର୍ଜନ ପରି

ଆମରି ଉପରେ ବୃଷ୍ଟି ସେ’ଦିନ ହେଲା,

ଆମେ କେଉଁଭଳି ବଜ୍ର ପରାଏ

ଅଚଳ ଅଟଳ ରହି

ଯାଇ ତ ନ ଥିଲେ ଥରି !

ଆମକୁ କିପରି ଗୋଟିଗୋଟି କରି ହତ୍ୟା ଯେ କରାହେଲା

ଆମକୁ ଟିକିଏ ବୁଝିବା ପାଇଁକି

ଆମର କିଏ ସେ ସାହା ଭରସା ବା ଥିଲା ?

ସଭିଏ ରହିଲେ ମୂକ ଓ ମଉନ ଅକର୍ମ ଶିଳା ଭଳି,

ସଭିଏ ରହିଲେ ନିଜ ସ୍ୱାର୍ଥକୁ ନିବିଡ଼େ ଯାବୁଡ଼ି ଧରି,

ସଭିଏ ରହିଲେ ମସ୍ତକ ପୋତି ନ କହି ପଦିଏ କଥା,

କାହାରି ଭିତରୁ ଅଗ୍ନିର ଝୁଲ ପରି ଟିକିଏ ତ ସ୍ୱାଧୀନତା

ବିଭ୍ରମେ ହେଲେ ନିମେଷେ ଫୁଟିଲା ନାଇଁ !

ସବୁ ଭୟଠାରୁ ଜୀବନର ଲାଗି, ଜୀବିକାର ଲାଗି,

ଯାହାଠି ରହିଚି ଭୟ

କିବା ଶିରୀସମ୍ପଦ ତାହାଠୁ ପାରିବ ପାଇ ?

ଆମେ ଚାଲିଥିଲେ ବନ୍ଧୁ ଦି’ଜଣ ବୀରବିକ୍ରମ ମଦେ,

ଧରଣୀର ଯେତେ ପାପ ଅନାଚାର ଦଳି ଠେଲି ପ୍ରତିପଦେ;

ଅମାନିଆ ହୋଇ ଚାଲିଥିଲେ ଆମେ

ଝଡ଼ ଝଞ୍ଜାର ଭିତରେ ଭିତରେ ଖାତିରି ନ କରି କା’ରେ

ସେଇଟିକ ଥିଲା ଆମରି ସାହସ ଆମରି ଶକ୍ତି,

ଆମରି ଯେ ତେଜବଳ,

କେତେ ଅସ୍ଫୁଟ କଳିକାରେ ଆମେ

ବର୍ଣ୍ଣ ଗନ୍ଧ ଦେଇ

ଫୁଟାଇ ଫୁଟାଇ ଚାଲିଥିଲେ ଅବିରଳ !

ନାଚି ଉଠୁଥିଲା ଆମ ଅନ୍ତର ଅସୀମ ପୁଲକେ

ଜ୍ୟୋତ୍ସ୍ନାର କିବା ମହାପାରାବାର ପରି,

ଘନ ଅନ୍ଧାର ତଳେ, ଟିକିଏ ଆଲୋକ କେଉଁଠି ଫୁଟିଲେ,

ଆମରି ପରଶ ଧରି ।

ଜୀବନ୍ତ କରି ଗଢ଼ି ଚାଲିବାରେ ମହା ପୃଥିବୀରେ

ଯେଉଁ ଆନନ୍ଦ ମିଳେ,

ଯେତେ ବାଧା ଯେତେ ବନ୍ଧନ ଆସୁ

ଏ ଦେହମନକୁ

ସ୍ପର୍ଶ କରେନି ତିଳେ ।

ଆମ ଅନ୍ତରତଳେ କିଏ କହିଯାଏ କାହିଁ,

‘‘ମହାସୃଷ୍ଟିର ଆମେ ଯେ ଗୋଟିଏ ଜୀବ

ଆମେ ଫୁଟିଅଛୁ

ଅସୀମ ଜୀବନ ପାଇଁ ।

ଧକ୍‌କା ଉପରେ ଧକ୍‌କା କିଏ ସେ

ଆମକୁ ଦଉଚ ଦିଅ,

ଆମେ ଚାଲିଥିବୁ ଧରଣୀକୁ କର

ଚିରସୁନ୍ଦର ପ୍ରିୟ ।

ନର୍କ ଭିତରେ ଫୁଟାଇବୁ ଆମେ

ସ୍ୱର୍ଗର ପାରିଜାତ,

ସେଇ ତ ଆମର ଜୀବନର ବାହାଦୁରି,

ସେଥିପାଇଁ ପରା,

ମହାସୃଷ୍ଟିରେ ଗଢ଼ିଚି ଆମକୁ

ସ୍ରଷ୍ଟାର ବେନିହାତ !

ଯେଉଁଆଡ଼େ ଆମେ ମାଡ଼ି ଚାଲିଯିବୁ

ଆମରି ଶୋଣିତ ପ୍ରତି ବିନ୍ଦୁରେ

ଜୀବନର ଲୀଳା ଖେଳାଇ ଚାଲିବୁ ଆମେ,

ତୁମ ବ୍ୟଭିଚାର ତୁମ ଅନାଚାର

ସକଳ ଦର୍ପ ଭାଙ୍ଗି ଚାଲିବୁ

ସଂଗ୍ରାମ କରି ଟାଣେ ।’’

ଆମେ ଯେ ବନ୍ଧୁ ଯୁଗଳ ଜୀବନେ

ଏଇପରି ଥିଲେ ଚାଲି,

ସେ ଶିରୀଟିକକ ଆମରି ଜୀବନେ

ସବୁ ଗଉରବୁ ବଡ଼ ଗଉରବ, ଅମୃତ ସଙ୍ଖାଳି !

ତୁମେ ତ ଆସିଲ ତିଆଗି ସେ ମାଟି,

ମୁହିଁ ବି ଆସିଲି ଚାଲି,

ତୁମେ ମୁହିଁ ଥିଲେ, ସେ ଯେଉଁ କୁଟୀରେ

ଶୂନ୍ୟ ପଡ଼ିଚି ଖାଲି ।

ବାଟେ ଘାଟେ ତହିଁ ଚାଲିଗଲାବେଳେ

ପଚାରନ୍ତି କେ’ ମତେ,

‘‘ତୁମେ ଆଉ ସିଏ

ଆସିବନି ଏଇ ପଥେ ?

ତୁମେ ଦୁଇଜଣ ଚାଲିଗଲ ଦୂରେ ଚାଲିଗଲ ! ଚାଲିଗଲ !

ମନେ ପଡ଼ୁନି ଏ ମାରୁଆ ପାହାଡ଼ ?

ମନେ ପଡ଼ୁନି ଏ ବନକନ୍ଦର ନୀଳ ନିର୍ମଳଝର ?

ମନେ ପଡ଼ୁନି ଏ ଅରକ୍ଷ ଶିଶୁଦଳ

କେଉଁ ପୁରପଲ୍ଲୀରୁ ଆସୁଥିଲେ ଏଥି

ତୁମରି ଆଲୋକ ପାଇଁ ?

କିଏ ସେ କିଭଳି ତୁମକୁ ଠେଲିଲା ଦୂରେ ?

କି ଶିରୀ ବିଭବ

ତୁମ ପାଖେ ଥିଲା

ଟିକିଏ ବୁଝିଲା ନାଇଁ !

ଯାହା ସୁନ୍ଦର, ଯାହା ନିର୍ମଳ, ଯାହା ଉଜ୍ଜ୍ୱଳ

ଜୀବନୀଶକ୍ତି ସୂର୍ଯ୍ୟର ତେଜପୁଞ୍ଜ ପରାଏ

ଯେଉଁଠି ରହିଚି ଭରି,

ମୂର୍ଖ ଦୁନିଆ ଲାଗିଚି ତା’ ତୁଲେ

ସାତସଉତୁଣୀ ପରି !’’

ଆମେ ସେଇ ଦୁଇଜଣ ବସିଅଛେ

ଏଇ ସୋରଡ଼ା ଘାଇର ବନ୍ଧ ଉପରେ

ସେ ଦିନ ସେ କଥା ଭାଳି,

ଚାଲିବାକୁ ହେବ ଆମକୁ ଏଭଳି

ଆମରି ବିରାଟ ଲକ୍ଷ୍ୟ ଟିକକ ଧରି;

ବନ୍ଧୁ ହେ ମୋର ! ଚାହଁ ଚାରିଆଡ଼େ

ଏଇ ସୋରଡ଼ା ଘାଇର ବନ୍ଧ ଉପରେ ବସି

ଆକାଶ ପୃଥିବୀ ଅମୃତଭରା ଆନନ୍ଦସୁଏ

କିଭଳି ଉଠୁଚି ହସି !

ନଚାଇ ନଚାଇ ଫେନିଳ ଊର୍ମି

ଦୂର ପାହାଡ଼ରଘନଜଙ୍ଗଲ ପାଦେ,

ବିରାଟ ଏ ଜଳରାଶି

ଯାଉଚି କିଭଳି ନାଚି !

ଦୂରେ ବହୁଦୂରେ ମହା ବିଜନତା

ଜ୍ୟୋତ୍ସ୍ନାରେ ଅବଗାହି,

କିଭଳି ଆମକୁ

ମୁଗ୍‌ଧ ଚକିତ

ଆଶ୍ଳେଷ ଦେବା ପାଇଁ

ସୋହାଗେ ରହିଚି ଟାକି !!

‘‘ସୁନ୍ଦର ହୁଅ ! ବିରାଟ ହୁଅ ! ଶୁଦ୍ଧ-ସ୍ୱଚ୍ଛ-ଶାନ୍ତ-ସୁବିପୁଳ ହୁଅ !

ମୁଗ୍‌ଧ ମଧୁର ଅମୃତମୟ ହୁଅ !

ଚାରିଆଡ଼େ ଖାଲି ବିଂଛୁଡ଼ି ପଡ଼

ବିସାରି ତୁମରି

ହୃଦୟତଳର ପୁଣ୍ୟ ପୁଲକ ସୁଅ !’’

ଏଇ ବିମୁଗ୍‌ଧ ବିଜନତା ବୁକୁତଳୁ

କିଏସେ ଆମକୁ, କହୁଚି ଯେପରି ଡ଼ାକି !

‘‘ପୃଥିବୀର ଯେତେ ଜାଳାଯନ୍ତ୍ରଣା

ସବୁ ଅପସାରି ଚାଲ !

ଆହୁରି ଆହୁରି ଚାଲ !

ଯେତେ ଦିନ ଆଉ ଧରଣୀ ଉପରେ

ରହିବାକୁ ଅଛି ବାକୀ;

ଅନନ୍ତ ହୁଅ ! ଅସୀମ ହୁଅ ! ଆନନ୍ଦମୟ ହୁଅ !’’

ଆକାଶ ପୃଥିବୀ ଆଶ୍ଳେଷ କରି !

ଚାଲ ଚାଲ ତୁମେ ଚାଲ !’’

ସୋରଡ଼ା ଘାଇର ବନ୍ଧ ଉପରେ ବନ୍ଧୁ ଦି’ଜଣ ଆମେ-

ଶୁଣୁଅଛେ କାନ ପାରି,

ଜୀବନର କିବା ଅମୃତ ସମାଚାର !!

Image

 

ବୋଇତି-ବାୟାଣୀ

 

କି ଶୀତ ବରଷା ଖରା ସବୁଦିନବୁଢ଼ୀ,

କିମ୍ପାଇଁ ଏ ପଥପ୍ରାନ୍ତେ ରହିଛି ଗୋ ପଡ଼ି ?

ଶମୁଚ ଉଦରଜାଳା ମାଗିଯାଚି ଆଣି,

ପଇସା ଚାଉଳ ଯିଏ ଯାହା ଦେଲା ପୁଣି;

ନ ପାଇଲେ କେଉଁ ଦିନ ଖାଡ଼ା ଉପବାସେ,

ରହୁଚ ନୀରବେ ପଡ଼ି ଏଇ ଦୁବଘାସେ;

ହେଲେ ବି ପରାଣେ ତବ ଦୁଃଖ ନାହିଁ ତିଳେ,

କି ସାଧନା ସାଧି ତୁମେ ରହିଚ ମହୀରେ !

ସେ ଚିରା ଦରବା ଖଣ୍ଡି ବିନୁ ଆନ ବାସ

ନାହିଁଛି, ଚଳୁଚ ସେ ଖଣ୍ଡିକେ ମାସ ମାସ;

କା’ ପିଣ୍ଡା ଉପରେ କାହା ଚାଳିଆର ତଳେ,

ଆଶ୍ରା ତ ନେଉନ ବୁଢ଼ୀ ଭ୍ରମେ ହେଲେ ଥରେ !

ଯେ ମାଟି ଟିକକ ନିତି ରହିଅଛ ପଡ଼ି,

ବଣ ବୁଦା ଲଟି ତହିଁ ରହିଅଛି ଭରି,

ସାପ ବେଙ୍ଗ ଚରାଭୂଇଁ ସେ’ତ ସବୁକାଳେ,

ଭୟ ନାଇଁ ସେ’ତ ତୁମ ସାଥୀ ଏ ସଂସାରେ ।

କା କୁଟୀରେ କଣେ ଦିନେ ଥିବ ତ ଜନମି, !

ପାଳିଥିବେ କିଏ ତବ ଜନକ ଜନନୀ;

ପ୍ରାଣର ତନୟା ବୋଲି ସେନେହ ଆଦରେ,

କୋଳେ ଧରି ଚୁମିଥିବେ ଅଧର କପୋଳେ;

ଦେଇଥିବେ ଟିକି ହାତେ କୋରା ବା କଦଳୀ

ସେ’ଦିନ ସମ୍ପଦ ଶିରୀ ଅଛି ଅପସରି ।

ଜୀବନେ ତ ଆସିଥିବ ମଧୁ ଯଉବନ,

ଦେଖିଥିବ କେତେ କେତେ ସୁନେଲି ସପନ;

ହସିଥିବ ଓଠତଳ ଅନନ୍ତ ସରାଗେ,

କଣ୍ଠୁ ଫୁଟିଥିବ ଗୀତ ନବ ନବ ରାଗେ;

କେଉଁ ପ୍ରିୟତମ ଲାଗି ହୃଦ-ସିଂହାସନ,

ରଖିଥିବ ପାତି ଦିନେ ମୋହନ ବନ୍ଧନ-

ଦିନୁ ଦିନ କରି କିବା ନିବୁଡ଼ୁ ନିବିଡ଼,

କା ବିରହେ ନେତ୍ରପ୍ରାନ୍ତୁ ଢାଳୁଥିବ ନୀର ।

ଏ ଆଖିର ଭାଷା ଶୁଣୁଥିବ କାହା ଆଖି,

ଏ ଦେହ କା ଦେହେ ଯାଇଥିବ ଲାଖି,

ଅଭିମାନେ କାହା ପାଶୁ ବଦନ ଫେରାଇ

ଆଡ଼ବାଙ୍କେ ବେଳେ ବେଳେ ରହୁଥିବ ଚାହିଁ !

ପରାଣ ପରଶମଣି କରିଥିବ କାରେ,

ଢଳ ଢଳ ଯଉବନ ପ୍ରଥମ ବିହାରେ-

ବୁଲୁଥିବ ରାଜପଥେ ଗିରି-ବନ-ତଳେ,

ହାତେ ହାତ ଭରି କିବା ପୀୟୂଷ ଅନ୍ତରେ !

ସେଇ ସ୍ୱର୍ଣ୍ଣ ଅତୀତର ପରେ ପରେ ତମେ,

ପଥ ଭିଖାରୁଣୀ କେହ୍ନେ ହେଲ ଗୋ ଜୀବନେ !

ଅଧରୁ ଲିଭିଲା ହାସ ନୟନୁ ଚାହାଣୀ;

ଓଠ ପୁଟୁ ମରିଗଲା ଅମୃତର ବାଣୀ ।

ମଉଳିଲା ନିମିଷକେ ଗଣ୍ଡର ଗୋଲାପ,

ବାଜି କେଉଁ ଅପଦେବତାର ଅଭିଶାପ ।

କପାଳ କନକ ଜ୍ୟୋତି ନିଭିଗଲା କାହିଁ,

ଥରେ ଚାହିଁ ଆସେ ନାଇଁ ତୃପ୍ତି ଯାହା ପାଇଁ ।

ହୃଦ-ସିନ୍ଧୁ ଆଉ ନାଇଁ ଉଚ୍ଛୁଳିଲା ଲବେ

ଗୋଟିଏ ତରଙ୍ଗ ନାଇଁ ଖେଳିଲା ନୀରବେ !

ସବୁ ସିନା ଚାଲିଗଲା କେଉଁ ପରପାରେ,

ବଞ୍ଚି ରହିବାର ଦୁଃଖ ନିଭିଲା କି ବାରେ ?

ଦେହ ଦେଇ ସ୍ନେହ ଦେଇ କଲ ଯା’ରେ ସାଥି,

ବୁଝିଲା କି ତୁମରି ଏ ବୁକୁତଳ ତାତି ?

ମରିବା ବଞ୍ଚିବା ଆଜି ସମାନ ତୁମରି

କି ଆଶା ପରାଣେ ଆଉ ଉଠିବ ମୁଞ୍ଜରି ?

ମରିଲେ ମରିବି ପଡ଼ି ଥିଲେ ଥିବ ପଡ଼ି,

କିଏ ଅଛି ତୁମରି ବା ଯିବ ଦୁଃଖ କରି ?

ସେ ଲାଗି ଆଦରିଅଛ ଏଇ ତରୁତଳ

ଶୀତ, ଖରା, ବରଷାରେ କରିଛ ନିଜର !

ସାପ, ବିଛା, ବେଙ୍ଗ, ଜନ୍ଦା ପିମ୍ପୁଡ଼ିରେ ତମେ,

ସାଥି କରି ନେଇଅଛ ଏ ମହା ଭୁବନେ !

ନିବିଡ଼ ନିଶୀଥ ରାତେ ମହା ଅନ୍ଧକାରେ,

ବିଜନତା ତୁଲେ କଥା ହେଉଥିବ ବାରେ ।

ବେଦନାର ମହାସିନ୍ଧୁ ଯାଇଚ ପାଲଟି

ଆଉ କି ଭାଳେଣି ବୁକୁ ପାରିବ କରତି?

ନିଜ ରାଜ୍ୟ ଗଢ଼ି ତବ ରହିଅଛ ନିଜେ

କିଏ ଅଛି ଯିବ ଚାଲି ସେ ମହା ରାଇଜେ ?

ବତାସୀ ଅନ୍ଧାରେ କିଏ ଦୀପଟିଏ ପରି

ଶିଖା ଟେକି ମହାଊର୍ଦ୍ଧ୍ୱେ ପାରିବ ବା ଜଳି ?

Image

 

ଜୀବନର ପ୍ରିୟା ଚିଲିକା

 

ବୁକୁତଳେ ମୋର ଦୁଃଖ ଯାତନା ଗଭୀରୁ ଗଭୀର ହେଲେ ଗୋ !

ଉଷ୍ମ ଲୋତକ ଝରି ଉଠେ ଯେବେ ନୟନରୁ ବେଳେ ବେଳେ ଗୋ !

କାହାକୁ କହିବି ମୋ ଗଭୀର ବ୍ୟଥା

ଖୋଲିବି କା ଆଗେ ଅନ୍ତର କଥା ।

ଆସେ ତୋର ତୀରେ କହିବା ପାଇଁକି ଜୀବନର ବ୍ୟଥା ମାଳିକା

ଚିଲିକା ଗୋ ମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା ।

ଏ ଧରଣୀ ପରେ ମଣିଷ ଯେବେଟି ମଣିଷରେ ଆଜି ଚାହେଁ ଗୋ ।

ଆପଣାର କରି ଅନ୍ତର ଭରି ଲବେ ଭଲ ନାଇଁପାଏ ଗୋ !

ଅବିଶ୍ୱାସ ଓ ସନ୍ଦେହ ଭରି

ଦେଖେନି କି ତାରେ ଥର ଥର କରି ?

ମଣିଷଠୁ ଆଳି ଝଡ଼ିଚି ପ୍ରାଣର ଗନ୍ଧ-ମଧୁର କଳିକା ।

ଚିଲିକା ଗୋମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ଦେଖିନିଏ ଆଜି ତୋହରି ଏ ତୀର ଏ ନୀଳ ଶଇଳ ଚୂଳେ ଗୋ

ହରିଚନ୍ଦନ ରାଜନ ଯେ’ ଦିନ ଶୁଣିଲେ ଶ୍ରବଣ ମୂଳେ ଗୋ

ରାଇଜେ ତାଙ୍କ ହୁଏ ଅନାଚାର

ଜାଗିଥିବ ବୁକୁତଳେ ହାହାକାର

ଫାଟିଯା ପାହାଡ଼ ! ଫାଟିଯା ପାହାଡ଼ ! କହିଥିବେ ଥରିଥରିକା

ଚିଲିକା ଗୋମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ମନେହୁଏ ମୋର ସେଦିନ ରାଜନ ବୁଝିଥିବେ ମନେ ମନେ ଗୋ !

ମଣିଷ ଯେଉଁଠି ମଣିଷକୁ ଆହା କନ୍ଦାଏ ପ୍ରତିକ୍ଷଣେ ଗୋ !

ତତଲା ନରକ ପରି ସେ ଭୁବନ

କେସନେ ଦିଶଇ ଭୀଷଣୁ ଭୀଷଣ,

ମଣିଷର ଆଖି ଥାଇ ସେ ଭାବେନା ବଞ୍ଚିବା କେଉଁ ଭଳିକା ।

ଚିଲିକା ଗୋ ମୋର ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ଦାସିଆ ବାଉରୀ ତୋର ତୀର ବାଲି ଉପରେ ଆଙ୍କି ଦେଉଳ

ଜଗନ୍ନାଥରେ କରୁଥିବ ପୂଜା ଭକ୍ତି ଦେଖାଇ ବହୁଳ ।

ଦେବତା ଜାଣୋ ଜାତି ବା ଅଜାତି

ଭକ୍ତର ଧନ ନେବେ ହାତ ପାତି

‘ନ ନେଲେ ଫେରାଇ ଆଣିବ ଗୋସାଇଁ’ କହୁଥିବ ହାତ ଯୋଡ଼ିକା

ଚିଲିକା ଗୋ ମୋର ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ସେଦିନ ମଣିଷ ଯାଉତ ନଥିବ ପେଟ ପାଇଁ ବହୁ ଦୂରେ ଗୋ !

ଗୃହିଣୀ ତାହାର କାନ୍ଦୁ ନଥିବ ଏକାକୀ କୁଟୀର ପୁରେ ଗୋ !

ଆସୁ ତ ନଥିବ କାହା ମଲା ଚିଠି

କାନ୍ଦୁ ନଥିବ ବଧୂ ବାହା ପିଟି,

ଘରୁ କାହିଁପାଇଁ ଦୂରେ ଠେଲିଦେଲି ଡ଼ଙ୍କୁଣୀ ମୁହିଁ କାଳିକା !

ଚିଲିକା ଗୋମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ସେଦିନ ମଣିଷ ଚୋରାବଜାରର ବିକ୍ରେତା ହୋଇ ଜଣେ ଗୋ

କନକ ହର୍ମ୍ୟ ତୋଳୁ ତ ନଥିବ ଛାତି ଟେକି ବଡ଼ପଣେ ଗୋ ।

ଶତ ଅନ୍ୟାୟ ଜୁଆ ଚୋରୀ ତଳେ

କେତେ ଦିନ କିଏ ସୁଖ ଭୋଗ କରେ ?

ଜୀବନ ଫୁଲରେ ବିଷାକ୍ତ ରେଣୁ ରହିଅଛି କେତେ ଭଳିକା !

ଚିଲିକା ଗୋ ମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ସନ୍ଧ୍ୟାରେ ବାହି ତରଣୀ ମୁଁ ଆଜି ବୁଲଇ ତୋହରି ଭରସେ

ଉଲ୍ଲସି ଉଠେ ଅନ୍ତର ମୋର ମଧୁର ମଳୟ ପରଶେ;

କଳ କଳକଳ ଶୁଭେ ଅବିରଳ

ଚଉଦିଗେ ମୋର ଖାଲି ନୀଳଜଳ ।

ନାଚି ନାଚି ଆସେ ଦୂର ଦିଗନ୍ତୁ ସୁନୀଳ ଊର୍ମିମାଳିକା,

ଚିଲିକା ଗୋମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ପ୍ରତି ଊର୍ମିର କଳ ବେଣୁ ତାନେ ମଧୁର ଦୃଶ୍ୟ ଛଇରେ

କିଣି ହୋଇଯାଏ, ଚାହିଁ, ଚାହିଁ ଥାଏ, ମୁଗ୍‌ଧ ଆବେଶ ବହି ରେ !

ଚଉଦିଗେ ମୋରଉର୍ମିର ଲୀଳା

ଦୁରେ ଗିରିବନ ପ୍ରନ୍ତର ଶିଳା,

ଶିରେ ତାରକିତ ନୀଳ ନଭ ନାଚେ ନୀଳ ଚାନ୍ଦୁଆ ଭଳିକା

ଚିଲିକା ଗୋ ମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ତରଣୀ ଉପରେ ଠିଆ ହୋଇ ଯେବେ ଚଉଦିଗ ମୁହିଁ ଦେଖଇ

ବନ ପ୍ରାନ୍ତର ଆକାଶ ବତାଶ ଆପଣାର କରି ଡ଼ାକଇ;

ଡାକଇ ଜଟିଆ ଡାକେ କାଳୀଜାଇ

ଡାକେ ନଳ ବଣ ଦୂରେ ଦୂରେ ଥାଇ

ହସି ହସି ଡାକେ ଜ୍ୟୋତ୍ସ୍ନାରେ ମତେ ଲକ୍ଷ ଲହରୀମାଳିକା

ଚିଲିକା ଗୋ ମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ଜ୍ୟୋତ୍ସ୍ନାଧବଳ ଶାନ୍ତ ଶୀତଳ ସୁନ୍ଦର ଏଇ ରାଇଜେ

ନାଚି ନାଚି ଯାଏ ଅନ୍ତର ତଳ ଶତ ସଙ୍ଗୀତ ଗାଇ ଯେ;

ପ୍ରତି ଦ୍ୱୀପ ଟାପୁ ପର୍ବତେ ଚାହିଁ

ଆପଣାକୁ ଆପେ ଭୁଲିଯାଏ କାହିଁ

କେଉଁ ରାଇଜରେ ବୁଲୁଚି ମୁଁ ସତେ ନାଚି ନାଚି ଦୋଳି ଦୋଳିକା,

ଚିଲିକା ଗୋ ମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ଜୀବନର ପରିପୂର୍ଣ୍ଣ ସେନେହ ଏଇ ରାଇଜରୁ ପାଏ ଗୋ !

ସକଳର ତୁଲେ ମଧୁ ବନ୍ଧନ ରଚି ରଚି ଆଜି ଯାଏ ଗୋ !

କଳ କଳକଳ ଏଇ ନୀଳଜଳ

ଦ୍ୱୀପ ଟାପୁ ବନ ଶଇଳ ଶ୍ୟାମଳ

ସବୁରି ଭିତରେ ଉଡ଼ି ବୁଲେ ମୋର ଜୀବନ-କୁଞ୍ଜ-ଶାରିକା

ଚିଲିକା ଗୋ ମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ଏଥି ବୁଲୁଥିଲେ ଜୀବନ ମରଣ ସମାନ ଗୋ ମୋରେ ଲାଗଇ

ଏଥି ବଲୁଥିଲେ ପୃଥିବୀ ବେଦନା ବୁକୁତଳେ ନାଇଁ ଜାଗଇ

ସପନର ଏକି ଚିର ଲୀଳା ଭୂଇଁ ?

ପ୍ରାଣେ ପ୍ରାଣେ ଦିଏ ସୁନାକାଠି ଛୁଇଁ !

ଯେସନେ ସେ କେଉଁ ଚିର ସୁନ୍ଦରୀ ନବ ଯଉବନୀ ବାଳିକା

ଚିଲିକା ଗୋମୋର ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

ଆସିଚି ମୁଁ ଏଥି ଆସିଚିମୋହର ଚିର ଇପ୍‌ସିତ ରାଇଜେ

ଯହିଁ ଚାହେଁ ଓଠ ହାସେ ମଧୁ କଥା କିଏ ମୋରେ ଯାଏ କହି ଯେ;

ସପନ ଦୋଳାରେ ଯାଏ ଦୋଳି ଦୋଳି

କାହା ବୁକୁତଳେ ହୋଇଯାଏ ଗୋଳି

କାହାରେ ମୁଁ ଆଜି ଛାଡ଼ି ପାରୁନାହିଁ ଚୁମ୍ୱକ ଶିଳା ଭଳିକା

ଚିଲିକା ଗୋ ମୋର ! ଆଜନମ ସାଥି ଜୀବନର ପ୍ରିୟା ଚିଲିକା !

Image

 

ମାଟି ଓ ମଣିଷ

 

ଛାଡ଼ିଦିଅ ଛାଡ଼ିଦିଅ ଛାଡ଼ିଦିଅ ମତେ ରେ

ଚାଲିଯିବ ବିରାଟ ଏ ଧରଣୀର ପଥେ ରେ

ଯେତେ ଛୋଟସ୍ୱାର୍ଥ, ଯେତେ ଛୋଟ ବେଷ୍ଟନୀ,

ରଖନା ରଖନା ଭିଡ଼ି

ମାଟିର ମୁଁ ସ୍ୱାର୍ଥ, ମାଟିର ମୁଁ ସମ୍ପଦ

ବିରାଟ ଜୀବନ ମୁଁ

ବିରାଟରେ ମିଶିଯିବି ଭାସିଯିବି ସତେ ରେ

ଛାଡ଼ିଦିଅ ଛାଡ଼ିଦିଅ ଛାଡ଼ିଦିଅ ମତେ ରେ !

ଅସୀମର କେନ୍ଦ୍ରରୁ ଆସିଛି ମୁଁ ଖସିରେ

ମତେ ଭଲ ଲାଗୁନାଇଁ ଏଥି ବସି ବସି ରେ

ମୋର ଧନଜନ ଗୋପଲକ୍ଷ୍ମୀ ଏ ମଣିଷ ଓ ମାଟିରେ

ଏହାରି ଭିତରେ ନେବି ମୋ ଜୀବନ କାଟି ରେ;

ପାରିବିନି କାହାରେ ମୁଁ ଛାଡ଼ି ତ

ସଭିଏ ମୋ ଜୀବନର ନାଡ଼ି ତ !

ସବୁରି ଓଠରେ ମୋର ଭାଷା ରେ

ସବୁରି ବୁକୁରେ ମୋର ଆଶା ରେ !

କିଏ କାହିଁ କାନ୍ଦୁଚି କିଏ କାହିଁ ପଡ଼ିଅଛି

ଅନାଦରେ ଅନାହାରେ କାହିଁ ରେ

ଯିବି ମୁହିଁ ତାହା ପାଶେ ଧାଇଁ ରେ;

ମୁଁ ସବୁରି ପାଇଁ ରେ

ଜାଗ୍ରତ ଉତ୍‌ଥିତ ନିଭିଯିବି ନାଇଁରେ !!

ମଣିଷର ଉଆସ ମୁଁ ରଚିବି ମୋ ଭିତରେ

ମଣିଷ ମୋବୁକୁତଳେ ହୃତ୍‌ପିଣ୍ଡ ସତ ରେ !

ମଣିଷ ହସିଲେ ମୋର ହସି ଉଠେ ଦେହମନ

ପ୍ରତି ରେଣୁତଳ ରେ

ମଣିଷ ଜାଗିଲେ ମୋର ଜାଗିଉଠେ ସିଂହର ବଳ ରେ ।

ମଣିଷ ଉଠିଲେ ମୁହିଁ ଉଠିଯାଏ ଉଠିଯାଏ

ସୀମାହୀନ ଆକାଶେ

ଅନନ୍ତ ବିକାଶେ !

ସ୍ଥିତି ମୋର ମହିମିତ ସୁନ୍ଦର ଉଜ୍ଜ୍ୱଳ

ଏ ମଣିଷ ସକାଶେ !!

ମଣିଷଠୁ ଛିନ୍ନ ମୁଁ ହୋଇ ରେ

ପାରିବିନି ପାରିବିନି ପାରିବିନି ରହି ରେ !

ମଣିଷ ମଣିଷ ଖାଲି ମଣିଷ ମୋ ଜୀବନର

ସମ୍ପଦ ପରମ,

ମତେ ଖାଲି ଭଲ ଲାଗେ ମଣିଷର କଥାଭାଷା

ମଣିଷର ସେନେହ

ମଣିଷର ଅମୃତ ମରମ !!

ମତେ କହ ମଣିଷର ସୁଖ ଦୁଃଖ ବେଦନା

ମତେ କହ ମଣିଷର ଅଦ୍ଭୁତ ସୀମାହୀନ ସାଧନା !

ମତେ କହ ମଣିଷର ଯେତେ ଯାହା ବିଚିତ୍ରକରଣୀ

ଯାହା ଘେନି ହସିଉଠେ ମାଟିର ଏ ଧରଣୀ

ମତେ କହ ମଣିଷର ଦୟା କ୍ଷମା କରୁଣାର କଥା ହେ

ମତେ କହ ମଣିଷ କେଉଁଠି କେବେ ଚାଲିଅଛି ଗରବେ

ଉନ୍ନତ କରି ତା’ର ମଥା ହେ !

ମତେ କହ ମଣିଷକୁ କିଏ କିଆଁ ନିଷ୍ଠୁରେ ମାଇଲା

ମତେ କହ ମଣିଷକୁ ସାତହୀନିମାନ କରି

କିଏ କାହିଁ, ଥୋଇଲା !

କହ ମୋର କାନେ କାନେ ଦୁଃସହ

ପୀଡ଼ାବାଜି କାହାର

ମଣିଷ ହୋଇଚି ତିନିପାଞ୍ଜିରୁ ବାହାର !

ମଣିଷକୁ ଭଲପାଏ ମୁହିଁ ଭଲପାଏ ହେ

ଟିକି ନିଖି ସବୁ ତାର ଜାଣିବାକୁ ଚାହେ ହେ !

ମଣିଷଜୀବକୁ କିଏ ଛୋଟ କରି ଦେଖେ ରେ ?

ଏତେ ଅପରାଧେ କିଏ ନିଜ ଶିରେ ଲେଖେ ରେ ?

ମଣିଷର ଜୀବ ଆହା ମଣିଷର ଜୀବ ସେ

ଏ ମାଟିର ସତ୍ୟ ଓ ଶିବ ସେ !

ମଣିଷଠୁ ଛିନ୍ନ ମୁଁ ହୋଇ ରେ

ପାରିବିନି ରହି ରେ

ମୋ ଭିତରେ ବାହାରେ

ମଣିଷ ଜୀବନ ଲୀଳା ଲାଗିଥାଉ ଚିରଦିନ

ସୀମାହୀନ ଶୋହାରେ !!

ଏଡ଼େବଡ଼ ସମ୍ପଦ ମଣିଷ

ଚଉଦିଗେ ଅଛି ମୋର ଘେରି ରେ !

ବୁକୁତଳେ ତାର ମୁହିଁ

ଯିବି ଖେଳି ଖେଳି ରେ !

ଏ ଜୀବନ ମୋର ସତେ

କେଡ଼େ ଭଲ ଲାଗିବ !

କେଡ଼େ ଅମୃତ ଶିରୀ

ବୁକୁତଳେ ଜାଗିବ !

ପୃଥିବୀର କେଉଁ କଣେ

କେତେ ସମ୍ପଦ ଧରି କିଏ ରହିନି !

ସଭିଏ ମୋ ସମ୍ପଦ ସଭିଏ ମୋ କୋଟିନିଧି

ଏ ବିରାଟ ଧରଣୀର ସଭିଏ ତ ଅମୃତବାହିନୀ !!

Image

 

ଚାଲିବୁ, କିନ୍ତୁ.....

 

–୧–

ଜୀବନ-ପଥ ପରେ ଚାଲିବୁ ନିତି

କିନ୍ତୁ ପାଇବୁନି ସେନେହ ପ୍ରୀତି;

ଚାଲିବୁ ଚାରିଆଡ଼ ଧରଣୀ ଭୂଇଁ

ଜୀବନ ମଧୁମୟ ଲାଗିବ ନାଇଁ !

କରୁଣ ଚାହାଣୀଟି ନୀରବେ ଢାଳି,

ତୁ ଚାଲିଥିବୁ ବଣ ପଡ଼ିଆ ମାଡ଼ି;

ଏ ଭଳି ଜୀବନେ କି ବିଭବ ଥାଏ ?

ଜୀବନ ମରଣ ତା’ ସମାନ ପ୍ରାୟେ !

–୨–

ଜୀବନ-ପଥ ପରେ ଚାଲିବୁ ନିତି

ଯାବତ ରହିଚି ତୋ’ ଟିକକ ଥିତି;

ତୋ’ ମନକଥା ଅବା କହିବୁ କା’ରେ

ବୁଝିବ କିଏ ପ୍ରାଣହୀନ ସଂସାରେ ?

ସଭିଏ ହସି ଖେଳି ଚାଲିବେ ପଥେ

ସକଳ ବଇଭବେ ଶୋହି ନିୟତେ;

ମରି କି ଯିବୁ ? ମରି ପାରିବୁ ନାଇଁ !

ଜୀଇବା ଜୀବନେ କି ମାୟା ଯେ ଥାଇ !

–୩–

କିଏସେ ତୋରେ ଖୋଜେ କିଏ ବା ଚାହେଁ ?

କା’ ମଥା ତୋହ ଲାଗି ଅବା ବଥାଏ ?

ତୋ ଲାଗି ଘାସ କେରେ କେ’ ଦେବ ଆଣି ?

କାହିଁକି ଦେବ ଅବା ପାଣି ତୋରାଣି ?

ଚାଲିଚୁ ଚାଲୁଥିବୁ ଦଇନି ସହି,

ନୀରବେ ଯାଉଥିବ ଲୋତକ ବହି ।

ମରମ ଦୁଃଖ ଥିବ ମରମତଳେ

ମରଣ ନେଇ ଯିବ କେବେ ଯେ ଥରେ ।

–୪–

ଫେରିଲେ ନ ଫେରିଲେ ସଞ୍ଜେ କୁଟୀରେ

କିଏ ସେ ଲୋଡ଼ିବାକୁ ନାଇଁଟି ତିଳେ;

ସେ କେଉଁ ବାଟେ ଘାଟେ ବା ଗଛତଳେ,

ଜୀବନ କଲବଲେ ଚାଲି ବା ଗଲେ,

ଟିକିଏ ଆହା ଅବା କରିବା ଲାଗି

କାହା ହୃଦୟ ନାଇଁ ଉଠିବ ଜାଗି ?

କି ହୀନିମାନେ ଯିବ ଜୀବନ ଛାଡ଼ି

ନ ଗଲେ ଶେଷବେଳେ ଜଣେ ପଚାରି !!

–୫–

ଜୀବନପଥ ପରେ ଚାଲିବୁ ନିତି

ବହି ତୋ’ ଜୀବନର ବିକଳ ଥିତି;

କିଏ ନିଠୁର ନାଇଁ ବୁଝିଲା ବାରେ

ନଳିଗୋଡ଼ରେ ଦେଲା ଟାଣ ପାହାରେ ।

ସାରା ଜୀବନ ତୋର ବିଅର୍ଥେ ଯାଏ,

ତୋ ଲାଗି କବି ମୁହିଁ କବିତା ଗାଏ ।

ତୋରେ ଚାହିଁଲେ ଯେତେ ପାରୁନି ଚାହିଁ,

ତୋଲାଗି କୋହ ବୁକେ ଜାଗେ କିପାଇଁ ?

–୬–

ଜୀବନ ପଥପରେ ଚାଳିବୁ ନିତି

କି ନାରଖାରେ ଯିବ ସମୟ ବିତି !

ହାଇ ରେ ! ହାଇ ! ହାଇ!ହାଇରେ ହାଇ !

କାହାରେ ବେଳେ ବେଳେ ଦେଉଛୁ ଚାହିଁ ?

ମୂକ ପରାଣୁ ସିନା ଫୁଟେନି ବାଣୀ

ଚାହାଣୀ ତୋର କରେ ପଥର ପାଣି !

ଟିକିଏ ଘାସ ଚରି ଟିକିଏ ଚାହୁଁ,

କେ’ ଅଛି ଯିବୁ କାହା ପାଖକୁ ଆଉ ?

–୭–

ଲୋଡ଼ୁଚୁ ବେଳେ ବେଳେ କହିବୁ ବୋଲି

କିଏ ନିଠୁର ତୋରେ କଲା ଏ ଭଳି,

ସେ କେଉଁ ଲଟା ବୁଦା ଗୋରଡା ତଳେ,

କିଭଳି ପଡ଼ିଗଲୁ ପ୍ରାଣ ବିକଳେ !

କିଭଳି ଝୋଲା ମାରି ଆଖି ତରାଟି

ପାଇଲୁ କେତେ ବାଧା ନ ପାରି ଉଠି-

କଭଳି ଆସିଥିବୁ ଜୀବନ ଧରି,

କୋଶକ ଲାଗିଥିବ ଯୋଜନ ସରି !

–୮–

ନିରୀହ ନିଦୋଷୀର ଦୁଃଖ ବିକଳ

ତାହାଠି ଉଇଁ ତା’ଠି ମରେ କେବଳ !

ପାଷାଣ ତାହାଲାଗି ସବୁରି ହିଆ

ତା’ ଘର ନୁହେ ଅବା ଏଇ ଦୁନିଆ !

ମଲେ ସେ ମରୁ ଅବା ରହିଲେ ରହୁ

ଜୀବନେ ତାର ଅଛି କି ଅବା ମହୁ ?

ତା ଆଖି ଲୁହଧାରା ପୋଛିବା ପାଇଁ

କିଏ ସେ ହାତ ଲବେ ବଢ଼ାଏ ନାଇଁ !

–୯–

ଚାଲିବୁ ଚାଲୁଥିବୁ ନିତି ଏପରି

କେଉଁଠି ଘାସ କୁଟା ନୀରବେ ଚରି ।

ପରାଣେ ତୋର ଅବା କି ସନମାନ?

ଚାଲିବୁ ଧରି କିବା ମଧୁ ଧିଆନ?

ସଭିଏ ଚାଲିଛନ୍ତି ଚାଲିବୁ ତୁହି

ତୋ’ ଦୁଃଖେ ଓଦାକରି ନିଖିଳ ଭୂଇଁ !

ତୋରେ କେ ବୁଝୁ ଅବା ନ ବୁଝୁ ଲବେ,

ଭାଳି କି ହେବୁ ଆଉ ନିଖିଳ ଭବେ ?

–୧୦–

ଚାଲିବୁ ଚାଲିଥାଆ ଜୀବନ ସାରା

ବୋହି ତୋ ଜୀବନର ଅସୀମ ଭାରା ।

ବାଧିବ ? ବାଧୁ ଯେତେ କିବା ଭାଳେଣି ?

ହୃଦୟ ନାଇଁ ଯେବେ ତିଳେ ତୋ ଘେନି;

ଏଇ ଆକାଶ ଏଇ ଧରଣୀ ତଳ,

ପାହାଡ଼ ବିଲ ବନ ନଦୀ ପ୍ରାନ୍ତର-

ସବୁରି କାନେ କାନେ ଯାଉଥା କହି,

ମୁଁ ଏକା ମୋ ପାଇଁ କେ’ ନାହାନ୍ତି ରହି !

–୧୧–

ଚାଲିବୁ ଚାଲିଥାଆ ଘୋସାରି ହୋଇ,

ଯାବତ ଅଛି ପିଣ୍ଡେ ପବନ ରହି !

ଅସୀମ ବେଦନାରେ ତୋ ବୁକୁତଳ

ନିଠୁରେ ଦୁହିଁ ଦେଉ ଥରକୁ ଥର ।

ଯାଆନା ଯାଆନା ତୁ ଯାଆନା ମରି

ଚାଲିଥା ବାହି ତୋର ବ୍ୟଥାର ତରୀ

ପୂରିବ ତୋ’ ଜୀବନ ମହାସପନ

ଜାଗିଲେ ଏ ମରୁରେ ଟିକେ ଜୀବନ !

Image

 

ବିଶ୍ୱନାଥ ବ୍ରହ୍ମା

 

କ୍ଷୁଧାର୍ତ୍ତ ନିମେଷେ ଅନ୍ନ ବଢ଼ାହେଲା ବେଳେ,

ଆପଣାର ଅନ୍ନଥାଳ ପୁଲକ ଉଦ୍‌ବେଳେ,

ଆନରେ ବିତରିବାର ପ୍ରତିଦିନ ଧରି;

ତା’ ଭିତରୁ ବିଶ୍ୱଶିରୀ ସଂପଦ ଆହରି

ଚାଲିବା ଧରଣୀ ପରେ ବିଜୟ ସଂଭାରେ

ଏ ସକଳ ଅକୁଣ୍ଠିତେ କିଏ କରିପାରେ ?

ଯାହାର ଅନ୍ତର ମହା ପାରାବାର ପରି

ଦୟା ଦାନ କରୁଣାରେ ନ ପଡ଼େ ଉତ୍‌ଥଳି

ଜନମରୁ ମୃତ୍ୟୁଯାଏଁ, ବ୍ରହ୍ମା ବିଶ୍ୱନାଥ

ମୁଁ ତୁମରେ ହୃଦ ଭରି କରେ ପ୍ରଣିପାତ

ତୁମରି ଅନ୍ତର ତଳୁ ଯେ ତରଙ୍ଗ ଫୁଟେ

ଶତାଂଶୁ ଏକାଂଶ ହାୟ କାହା ବକ୍ଷପୁଟେ

ଆଜିହେଲେ ଫୁଟୁଥାନ୍ତା ! ସୃଷ୍ଟି ଓଠେ ହାସ

ଦେଖିବାହିଁ ଜୀବନର ଅମୃତ ବିଳାସ !

Image

 

ଜୀବନର ସତ୍ୟ

 

ଛୋଟ ବଡ଼ ସୀମାହୀନ ଘଟଣା ଭିତରେ

ଚାଲିଚି ମୁଁ, କେଉଁ ଦିନ କେଉଁ ଅନନ୍ତରେ

ମିଶିଯିବି, ନିମିଷକେ । ସତ୍ୟ ଜୀବନର

କିବା କଲି ଅନୁଭବ ? ଭାଳେ ନିରନ୍ତର

ମାଟି କୁଡ଼ିଆରେ ବସି, ଶୟନେ ଭୋଜନେ

ସତ୍ୟ କି ଫୁଟଇ ସତେ ? ଅର୍ଥ ଅରଜନେ,

ସୌଧ ରଚିବାରେ ଅବା ଈଶ୍ୱର ଚିନ୍ତନେ

ସତ୍ୟ ହୁଏ ଅନୁଭୂତ ? କ୍ଷମତା ଆସନେ

ବସି ଚକ୍ରବର୍ତ୍ତୀ ପରି ସତ୍ୟ କିଏ ଜାଣେ ?

ଏ ସବୁ କାହିଁରେ ମୋର ଆତ୍ମା ନାହିଁ ମାନେ;

ଜୀବନର ସତ୍ୟ ଏକା ଆନନ୍ଦ ପରମ,

ବ୍ୟାମ ବସୁନ୍ଧରା ଭରି ଅମୃତ ବଂଧନ–

ଭିତରେ ବିକାଶ ତା’ର; ସେ ବିକାଶ ଲାଗି

କ୍ଷୁଧାର୍ତ୍ତ ଏ ଆତ୍ମା ମୋର ରହିଅଛି ଜାଗି !!

Image

 

ପଛକୁ ଆସିବି

 

କାହା କୋଳର ସଙ୍ଖାଳି ସେ କେଉଁ କୁଟୀର ଶିରୀ,

ସବୁଜ ଏଇ ପଡ଼ିଆଟିରେ ଖେଳୁଛି ଥିରି ଥିରି !

ବୟସ ତାର ପାଞ୍ଚ ଛଅ,

ସବୁରି ତୁଲେ ତା ପରିଚୟ !

ସଭିଙ୍କି ସେ ସିନିଅ ଅବା ଦେଉଚି ବୁକୁଚିରି ?

କାହା କୋଳର ସଙ୍ଖାଳି ସେ କେଉଁ କୁଟୀର ଶିରୀ ।

ଦେଖି ସେ ମୋତେ ଖଣ୍ଡଦୂରୁ ଧଇଲା ମୋର ହାତ

‘‘ଯୁଆଡ଼େ ଯିବ, ଯିବି ହେ ମୁହିଁ ତୁମରି ସାଥ ସାଥ’’

ସେଇ ତା’ ଓଠ ସ୍ୱର୍ଣ୍ଣ-ହାସେ

କହିଲା ଆସି ମୋହରି ପାଶେ;

କହିଲି ମୁହିଁ ‘‘ତୁମରି ଘରେ ଯିବଇଁ ଆଜି ରାତ’’ !

ଦେଖି ସେ ମୋରେ ଖଣ୍ଡେଦୂରୁ ଧଇଲା ମୋର ହାତ !

‘‘ଖାଇବା ପାଇଁ କଅଣ ଦେବୁ ? ଗଲ ମୁଁ ତୁମ ଘରେ

ଶୁଣି ତୋ ବୋଉ ବାଡ଼େଇ ମୋରେ ତଡ଼ିବ ତରତରେ’’ ।

‘‘ନାଇଁ ମୋ ବୋଉ ଭିଆରି ଭଲ,

ଦେବ କଦଳୀ ଦୁଧ ଓ ସର,

ଆସ ଆସ ଆସ ତମେ ମୋହରି ତୁଲେ ଥରେ’’ ।

‘‘ଖାଇବା ପାଇଁ କଅଣ ଦେବୁ ଗଲେ ମୁଁ ତୁମ ଘରେ’’ ।

‘‘ଆଚ୍ଛା ତେବେ, ଆମରି ଘରେ ରହିବୁ ଝିଅ ହୋଇ,

ହଅଁ ତୁ କଲେ ଏଇଲେ ବୋଲେ ଏଇଲେ ଯିବି ନେଇ

ନାହାନ୍ତି ପିଲା ଆମରି ଘରେ

ରହିବୁ ତୁ ଲୋ ! ସୋହାଗ ଭରେ,

ବୁଲିବୁ ଆମ୍ବ ନଡ଼ିଆ ତୋଟା ପଡ଼ିବୁ ଖଟେ ଶୋଇ,

ଆଚ୍ଛା ତେବେ, ଆମରି ଘରେ ରହିବୁ ଝିଅ ହୋଇ’’ ।

ତୋହରି ଶିଶୁ ହସ ଖେଳର ମୋହନ ମାୟା ଧରି

କୁଟୀର ମୋର ଉଠିବ ନାଚି ସୁନାର ସ୍ୱର୍ଗ ଭଳି !

ହସିବୁ ତୁହି, ହସିବି ମୁହିଁ,

ହସିବ ମୋର କୁଟୀର ଭୂଇଁ,

ହସିବ ଆଉ ଜଣେ ତୋହରି ହେବ ଯେ ମାଆ ପରି,

ତୋହରି ଶିଶୁ ହସ ଖେଳର ମୋହନ ମାୟା ଧରି ।

ନିଃସ୍ୱ ମୋର କୁଟୀର କଣେ କାନ୍ଦେ ବସି ଜଣେ,

ତୋ ଭଳି ସ୍ୱର୍ଣ୍ଣପିତୁଳିଟିଏ ଦେଖିବ ଦି’ ନୟନେ !

ସନ୍ଧ୍ୟା ହେଲେ ଅଶ୍ରୁଧାରେ

ସେ କେଉଁ ଶୂନ୍ୟେ ଡାକଇ ହାରେ !

‘‘ମୋ ପରେ କିଏ ନିଷ୍ଠୁର ହେ ହେଉଚ ପ୍ରତିକ୍ଷଣେ’’

ନିଃସ୍ୱ ମୋର କୁଟୀର କଣେ କାନ୍ଦେ ବସି ଜଣେ ।

ତୋହରି ଏଇ ସୁନାର ହାତ କୁଞ୍ଚି କୁଞ୍ଚି ବାଳ,

ତୋହରି ଓଠର ଦରୋଟିବାଣୀ ପୀୟୁଷ ସଂଭାର,

ଏ ଟିକି ଟିକି ଦୁଇଟି ଆଖି

ଝରଣା ଅବା ରହିଚି ଲାଖି !

କେତେ ସେ ଖୋଜେ ଦିବସରାତି ହୋଇଣ ଅସଂଭାଳ,

ତୋହରି ଏହି ସୁନାର ହାତ କୁଞ୍ଚିଞ୍ଚି ବାଳ ।

ସେ ତତେ ଚାହେଁ ସେ ତତେ ଚାହେଁ ସେ ତତେ ଖାଲିଚାହେଁ

ଦେଖିଲେ ଥରେ ତୋ ଓଠ ଚୁମ୍ୱି, ଛାଡ଼ିବ ନାଇଁ ହାୟେ !

ମହା ସମୁଦ୍ର ଦେବ ସେ ମେଲି !

ତୋ ତରୀ ବାହି ଉଠିବୁ ଖେଳି ।

ବକ୍ଷ ତା’ର ପଡ଼ିଚି ଶୁଖି ବିରାଟ ମରୁ ପ୍ରାୟେ,

ସେ ତତେ ଚାହେଁ ସେ ତତେ ଚାହେଁ

ସେ ତତେ ଖାଲି ଚାହେଁ !

କେହି ନାଇଁରେ କୁଟୀରେ ମୋର ! ଶୂନ୍ୟ ଚାରିଆଡ଼,

ଶୂନ୍ୟପୁରେ ଫୁଟିବ କାହୁଁ ପ୍ରାଣର ମଧୁ ଧାର ?

ଜୀବନ ଚାହେ ପଡ଼ିବ ଢଳି,

ଆପଣାଟିକ କାହାରେ ଭରି,

ରୁଦ୍ଧ ହୋଇ ପାରିବ ନାଇଁ ରହି ଟିକିଏ କାଳ,

କେହି ନାଇଁରେ କୁଟୀରେ ମୋର ! ଶୂନ୍ୟ ଚାରିଆଡ଼ୁ !

ଆଜିଠୁଁ ତୁହି ନିଜର ମୋର ସବୁଠୁ ଆପଣାର !

ଚାହାଁରେ ଚାହାଁ ଟିକିଏ ଚାହାଁ ଆ’ରେ ପାଖେ ମୋର,

ଆଉଁସିଦିଏ ଏ ହାତ ଚାଲି,

ସକଳ ଭାରା ଯିବ ବା ଚାଲି !

ଆଜି ତୁ ମୋର ବକ୍ଷ ତଳେ ଗୋଟିଏ ସୁନାଗାର,

ଆଜିଠୁ ତୁହି ନିଜର ମୋର ସବୁଠୁ ଆପଣାର ।

ସ୍କନ୍ଧେ ମୋର ପଡ଼ରେ ଲୋଟି ଖେଳ ଆଜି ମୋ ତୁଲେ

ମାଆଗେ ଯାହା ମାଗୁଚୁ ଆଣି ଦେବି ମୁଁ ଯାଇ ଦୂରେ !

ବିକୁରେ ତୋରେ ମୁଁ ଯାକି ଧରି

କହିବି କହ ‘‘ମୁଁ ତୁମ୍ଭରି’’

ଶୁଣିବି ଯେତେ ବାୟା ଗୀତ ଗାଇବୁ ମୋର ପୁରେ,

ସ୍କନ୍ଧେ ମୋର ପଡ଼ ରେ ଲୋଟି ଖେଳ ଆଜି ମୋ ତୁଲେ ।

‘‘ପଛକୁ ମୁହିଁ ଆସିବି’’ କହି ହାତଟି ମୋର ଧରି,

ଚାଲି ସେ ଗଲା ଚାହିଁଚି ତାରେ ଏ ଦୁଇ ଆଖି ଭରି;

ପଛକୁ ସିଏ ଆସିବ ସତେ ?

ଚାହିଁଚି ମୁହିଁ ତାହାରି ପଥେ,

କେଡ଼େ କଅଁଳ କଥାଟି ତା’ର କିବା ଲହୁଣୀ ଭଳି

‘‘ପଛକୁ ମୁହିଁ ଆସିବି’’ କହି ହାତଟି ମୋର ଧରି ।

ଠିଆ ହୋଇ ରହିଚି ଚାହିଁ ଚତୁର୍ଦ୍ଦିଗେ ମୁହିଁ,

ଦେଖୁଚି ମାଡ଼ି ଆସୁଚି ସେହି ଶୂନ୍ୟ ଶୁଷ୍କ ଭୂଇଁ,

ଓଠରୁ ମୋରତୁଟୁଚି ହାସ,

ମରମେ ଖେଳି ଯାଉଚିପାସ

‘‘ପଛକୁ ମୁହିଁ ଆସିବି’’ ସେ ତ ଯାଇଚି ମୋରେ କହି

ଠିଆ ହୋଇ ରହିଚି ଚାହିଁ ଚତୁର୍ଦ୍ଦିଗେ ମୁହିଁ !!

ଆସନା ଆରେ ଶୁଷ୍କ ପ୍ରାଣ ! ଆସନା ଆଉ ବାରେ

ପଛକୁ ସେ ତ ଆସିବ ବୋଲି କହିଚି ଶରଧାରେ,

ହାଇରେ ହାଇ ସେ ପାଖେ ନାଇଁ

ମୁଁ ଯାହା ଖାଲି ରହିଚି ଚାହିଁ !

ଅଶ୍ରୁଟିଏ ନିଗିଡ଼ି ଯାହା ରହିଚି ଆଖି ଧାରେ

ଆସନା ଆରେ ଶୁଷ୍କ ପ୍ରାଣ ! ଆସନା ଆଉ ବାରେ

Image

 

ଦିନ ଦିନକର କଥା

 

କେଉଁ ଦିନ ବକ୍ଷେ ତବ ଯାକିଧରି,

ମଧୁର ଅନ୍ତର ଫେଇ,

କହିଅଛ ସୁକୋମଳ ବାଣୀ;

କେଉଁ ଦିନ ଦେଇଚ ଚୁମ୍ବନ ମତେ

ପ୍ରାଣରୁ ଅଧିକ କରି

ଦେଖିଅଛ ମୋ କୁଟୀର ରାଣି !

କେଉଁ ଦିନ ମୋ ଦରିଦ୍ର ଜୀବନର

ଦୈନ୍ୟ ଓ ଅଭାବ ଦେଖି,

ଦେଖି ମୋର ସୀମାହୀନ ବ୍ୟଥା,

ଲୁହ ସିକ୍ତ ନୟନରେ

କହିଅଛି ସାନ୍ତ୍ୱନାର କଥା;

କେଉଁ ଦିନ ଶୁଣି ମୋ ବିଜୟ

ଆନନ୍ଦେ ଅଧୀର ହୋଇ

କରିଅଛ ମତେ ଆଲିଙ୍ଗନ

କେବେ ଅବା ମୋ ଦୀର୍ଘ ବିରହେ

ଏକାକୀ କୁଟୀର କଣେ

କରିଅଛ ଅଶ୍ରୁ ବିସର୍ଜନ !

କେବେ ମୋରେ ହସାଇଚ,

କେବେ ମୋରେ ରସାଇଚ,

କେବେ ମୋର କରିଚ ଭତ୍ସନା,

ଏ ଜୀବନେ ଭୁଲ୍‌ ଯେବେ

ଥାଏ କାହିଁ କରି

କେବେ ମୋରେ ଦୂରେ ଫିଙ୍ଗିଦେଇ

ନିର୍ମମେ ନିଠୁରେ

ପୁଣି ମୋରେ ଦିଗୁଣ ସେନେହେ

ନେଇଅଛ କାନ୍ତ କରେ ଧରି !

ବିଦେଶେ ବିଦାୟ ଦେଇ ଚାଲିଲେ ମୁଁ,

ହେଲେ ତୁମ ଆଖି ଆଢ଼ୁଆଳ,

ଗବାକ୍ଷ ନୟନେ ମୋରେ

ସୁଦୂର ଦିଗନ୍ତେ ଚାହିଁ

ଚାହିଁ ରହି ଥାଅ

କେତେବେଳ ଯାଏଁ,

ସ୍ମୃତି ମୋର ବୁକୁତଳେ

ଆଙ୍କି ବାର ବାର !

ଅଭାଗା ମୁଁ କବିଜନ

ନିରୀହ ଅନ୍ତରେ ତବ

ଆଘାତର ବହ୍ନି ଯେବେ

ଦେଇ ଥାଏ ଜାଳି,

କରିଅଛ କ୍ଷମା ମୋରେ

କିଛି ନ ବିଚାରି !

କେବେ ମୋରେ ଦେଇଅଛ

ସୀମାହୀନ ଉତ୍ସାହ ପ୍ରେରଣା,

ଯାହା ବଳେ

ଏଇ ମୃତ ଜଡ଼ ମୋର ଦରିଦ୍ର ଅନ୍ତର

ହୋଇଅଛ ବହ୍ନି ସମ ଊର୍ଦ୍ଧ୍ୱଗାମୀ

ଉଠିଚି ମୁଁ ଦୂର ଦୂରାନ୍ତର !

ମାନିନାଇଁ ବାଧା ଓ ବନ୍ଧନ

ବିଜୟୀ ସୈନିକ ପରି

ଚାଲିଅଛି ଲକ୍ଷ୍ୟପଥେ ମୋର !

ଦିନ ଦିନକର କଥା,

ତା’ର ଯେହ୍ନେ ନାଇଁ ଶେଷ !

ଅସରନ୍ତି ଉପନ୍ୟାସ ପରି

ସୁଦୂର ଅତୀତୁ ଆଜିଯାଏଁ

ମୋ ଅନ୍ତର ପ୍ରତି ଅଣୁପରମାଣୁ ତଳେ,

ଲୀଳାୟିତ ଅମୃତର ବଇଭବ ଧରି ।

କେଉଁ ଦିନ ଜୋଛନା ନିଶୀଥେ

ସୀମାହୀନ ଆକାଶର ତଳେ,

ମୋର କ୍ଷୁଦ୍ର କୁଟୀର ଅଙ୍ଗନେ

ମୋର ନେତ୍ରେ ନେତ୍ର ଢାଳି

ପ୍ରେମ ଉତ୍ତରଳେ

ପଚାରିଚ ପଚାରିଚ

ଆଗୋ ପ୍ରିୟତମା

‘ତୁମରି ଏ ସୌମ୍ୟ ଅଙ୍ଗେ

ଜଡ଼ାଇ ଏ ଦେହ ମୋର

ଚିରଦିନ ଆଖି ବୁଜି

ପୃଥିବୀରୁ ହୁଅନ୍ତି ଅନ୍ତର ।’

ଶୁଣି ତବ ଏ ପଦିକ ବାଣୀ

ନେତ୍ରୁ ଯେବେ ଅଶ୍ରୁ ଢାଳି

ତୁମରେ ମୁଁ ଅବସନ୍ନେ

ଚାହିଁଲଇଁ ରାଣି !

‘ବ୍ୟଥିତ ହୁଅନି ତୁମେ

ତୁମକୁ ମୋ ରାଣ’

କେମନ୍ତେ କହିଚ ମୋରେ

ନିବିଡ଼ ଆଶ୍ଳେଷ ଦେଇ

ନେଇଅଛ ଟାଣି ମୋରେ

ଦୂରେ ବହୁଦୂରେ ।

ଜୀବନ ଯେଉଁଠି ଚାହେଁ

ସୀମାହୀନ ଆନନ୍ଦର ଗାନ ।

ଏ ଜୀବନେ କେତେ ଦୁଃଖ,

କେତେ କଷ୍ଟ କେତେ ହାହାକାର ।

କେତେ ଅଶ୍ରୁ କେତେ ନିର୍ଯାତନା ।

ରୋଗ ଶୋକ ଦୁଃସହ ଜଞ୍ଜାଳ !

ବିପଦର କେତେ ବଜ୍ର

ଯାଇନାଇଁ ଚାଲି !

ସମସ୍ତ ଭିତରେ କିନ୍ତୁ

ପ୍ରାଣର ସଙ୍ଖାଳି କରି

ରଖିଅଛ ପାରିନାହଁ ଛାଡ଼ି !

ଜଟିଳ ଦୁର୍ଭେଦ୍ୟ ପଥ

କରିଅଛ ସହଜ ସୁଗମ,

ବିପଦରେ ଦେଇଅଛ

ବୀର ପରାକ୍ରମ,

ଅଶାନ୍ତି-ନରକେ ତୁମେ

ଫୁଟାଇଛ ପାରିଜାତ କଳି;

ସଂଗ୍ରାମେ ହୋଇଚ ଠିଆ,

ସୀମାହୀନ ସାହସର ଅଗ୍ନି–

ମୋର ବୁକୁତଳେ ଭରି !

ଏ ଧରଣୀ ପାନ୍ଥଶାଳା

ମୋର ଆନନ୍ଦର

ଲୀଳା ନିକେତନ

ତୁମରି ପରଶ ଘେନି

ଘେନି ତୁମ ହୃଦୟବନ୍ଧନ !

Image

 

କବିର ଜବାବ

 

ପୃଥିବୀର କବି ମୁହିଁ, ପୃଥିବୀର ଅନ୍ତର୍ଦାହ, ପୃଥିବୀର ଆଶା ଅଭିଳାଷ,

ପୃଥିବୀର ଅଭାବ ଓ ଅଭିଯୋଗ,

ପୃଥିବୀର ଆନନ୍ଦ, କଲ୍ୟାଣ,

ସକଳକୁ ରୂପ ଦେବା ପାଇଁ, ଜନ୍ମ ମୋର ଧରିତ୍ରୀ ଉପରେ

କିଏ ଅଛି ଏଡ଼େ ବଳିଆର ପୁଅ !

ମତେ ଏ ସବୁରୁ ଧମକ ଚମକ ଦେଇ, ଦେବ ନିବର୍ତ୍ତାଇ ?

ଏ ବିରାଟ ପୃଥିବୀ ବିଲ ବଣ ନଦୀ ସିନ୍ଧୁ ଉପତ୍ୟକା ଧରି

ମୋର ଏକାନ୍ତ ନିଜର,

ବନ୍ଧା ମୋର ହୃଦୟର ପ୍ରତି ତନ୍ତ୍ରୀ ସହ

ଦରିଦ୍ର କୃଷକଠାରୁ ରାଜଧିରାଜ ଯାଏଁ

ବିରାଟ ନଗରୀଠାରୁ ପୁରପଲ୍ଲୀ ଯାଏଁ

ସକଳର ସହ, ସବୁଠି ମୁଁ ପରିଚିତ,

ସକଳର ଆଘାତ ଓ ପ୍ରତିଘାତ

ସକଳର ଜୟ ପରାଜୟ

ସକଳର ଆପଦ ବିପଦ ସକଳର ଦ୍ୱନ୍ଦ୍ୱ

ମୋ ଭିତରେ ସୃଷ୍ଟିକରେ ଆଉ ଏକ ସୃଷ୍ଟି ପ୍ରାଣମୟ !

 

 

ଏହା ମହା ଧରିତ୍ରୀ ସହ ଓତପ୍ରୋତ ହୋଇ

ଏତେ ମୁହିଁ ବିଜଡ଼ିତ,

ଏକଇ ମୁହୂର୍ତ୍ତ ଏଥି ଛିନ୍ନବୃନ୍ତ ହୋଇ ରହିଯିବା

ମୋହ ପକ୍ଷେ ଅତୀବ ଦୁଃସହ !

ପୃଥିବୀ ହସିଲେ ମୁହିଁ ହସେ, ପୃଥିବୀ କାନ୍ଦିଲେ ମୁହିଁ କାନ୍ଦେ,

ପୃଥିବୀ ଛିନ୍ନଭିନ୍ନ ହୋଇଗଲେ କେଉଁ ରାକ୍ଷସର ଅନାଚାର ଧରି

ତାତି ଉଠେ ଅନ୍ତରତଳ ତପ୍ତ ଲୌହଖଣ୍ଡ ପରି;

ପୃଥିବୀର ଅନ୍ତରେ ଅନ୍ତରେ ବୋଳିଦେବା ପାଇଁ

ଜୀବନର ବିଦ୍ୟୁତ ଚମକ

ସୃଷ୍ଟି ମୋର; ମୋରେ କେ ପାରିବ ରୋକି?

ଖାତିରି କରିନି ମୁହିଁ କାହାରି ଧମକ !

ମତେ ତମେ ଜେଲ ଦେବ ? ମୋରେ ତୁମେ ଜୋରିମାନା କରି

ମୋ ଇଜ୍ଜତ ସନମାନେ ବୋଳିଦେବ ଘନକୃଷ୍ଣ ମସୀ ?

ମତେ ତୁମେ କରିବ କଅଣ ?

ମୁଁ ଯେ କବି ପୃଥିବୀର ଆତ୍ମା ଅବିନାଶୀ !!

ମତେ ତମେ ଏ ସାମନ୍ୟ ଚାକିରୀ ଖଣ୍ଡକରୁ

ବାହାର କରିଦେଇ,

ବିଚାରିଚ କରିଦେବ ପଥର କାଙ୍ଗାଳ ?

ମାରିଦେବ ମୋ ଭିତରୁ ଯେଉଁ କବିତାର କଳତାନ ଝରି ଝରି ଆସେ

ଅଥର୍ବ ଓ ପଙ୍ଗୁ ପରି ପୃଥିବୀରେ ରହିଥିବି ?

ନେତ୍ର ପ୍ରାନ୍ତୁ ଝରୁଥିବ ଶତ ଅଶ୍ରୁଧାର?

ତୁମରି ଏ ଷଡ଼ଯନ୍ତ୍ର, ତୁମରି ଏ କୁଟିଳ ମନ୍ତ୍ରଣା, ତୁମରି ଏ ଅନାଚାର

ମୋ ଭିତରେ ସୃଷ୍ଟି କରିବ ଯେ ଝଡ଼,

ତା’ ଭିତରେ ତୁମେ କେଉଁଠି ବିଲୀନ ହେବ,

ମିଳିବନି ସତ୍ତା ଯେ ତୁମର,

ମୁହିଁ କିନ୍ତୁ ରହିଥିବି ବିରାଟୁ ବିରାଟ ହୋଇ ଯୁଗଯୁଗାନ୍ତର !

ପଥର କାଙ୍ଗାଳ ମତେ କରିଦେବା

ହୋଇପାରେ ତୁମ ପକ୍ଷେ ସହଜ ସୁଗମ,

ମଥାରୁ ମୁକୁଟ ମୋର ପାରିବା ଖସାଇ

ତୁମ ପକ୍ଷେ ସାଧ୍ୟାତୀତ ବିଷମୁ ବିଷମ !

ମୋରେ ତୁମେ ସୀମାତୀତ ହଇରାଣ କରିପାର

ରାକ୍ଷସର ଆସ୍ପର୍ଦ୍ଧା ଦେଖାଇ

ଧରଣୀର ରାଜପଥ ପରେ,

କିନ୍ତୁ ବସିଚି ମୁଁ ଯେଉଁ ସିଂହାସନ ପରେ

ପାରିବିନି ମୋରେ ଏକ ବିନ୍ଦୁ ବି ଘୁଞ୍ଚାଇ

ବସିଥିବି ସୀମାହୀନ ଗୌରବର ପୁଣ୍ୟ ଆଡ଼ମ୍ୱରେ !

ଅନନ୍ତରେ ଥିତି ମୋର, ଅନନ୍ତରେ ଗତି ମୋର,

ଅନନ୍ତରେ ଲୀଳା ଖେଳା ମୋର,

ଅନନ୍ତରେ ଅମୃତ ପ୍ରୟାଣ ମୋର

ଅନନ୍ତର ପୂଜାରୀ ମୁଁ ଜନ୍ମ ଜନ୍ମ ଧରି,

ମୁଁ ଯାହା କହେ ଯାହା ଲେଖେ ଯାହା ଗାଏ–

ସେ’ଯେ ସତ୍ୟ, ନିରାଟ ନିଠୁର ସତ୍ୟ,

କଳ୍ପନାର ଯାଦୁସ୍ପର୍ଶ ଅଙ୍ଗେ ଅଙ୍ଗେବୋଳି;

ମୋର ଯେବେ ସୃଷ୍ଟି ହୋଇ ନ ଥାନ୍ତା ଏ ପୃଥିବୀ ଉପରେ,

ଅନନ୍ତ ଅନୁଭୂତିର ସୁବିପୁଳ ଅଧିକାର

ମୋର ଯେବେ ନାଇଁ ଥାନ୍ତା

ଏ ବିରାଟ ବସୁନ୍ଧରା ପାଇଁ,

ତୃଣ ପରି ଫୁଟି ଯେବେ କେଉଁ ଅଜ୍ଞାତ କୋଣରେ

ତୃଣ ପରି ଯାଆନ୍ତି ମିଳାଇ,

ଉପରେ ଥାଆନ୍ତା ଏ ଆକାଶ, ତଳେ ଥାନ୍ତା ଏଇ ବସୁନ୍ଧରା,

କିନ୍ତୁ ସୀମାହୀନ ଜନତା ଭିତରେ

ଜୀବନର କଳତାନ ଯାଇଥାନ୍ତା ମରି !!

ଜୀବନ୍ତ ପୃଥିବୀ ନ ହୋଇ

ନିର୍ମମ ନିଠୁର କେତେ ଗୁଡ଼ାଏ ସଇତାନର

ହୋଇଥାନ୍ତା ଏଇ ଏକ ପ୍ରିୟ ରାସସ୍ଥଳୀ !

ଏଇ ମହା ପୃଥିବୀରେ ଜଣେ ଅତ୍ୟାଚାରିତର-

ସୀମାହୀନ ବେଦନାରେ

କାନ୍ଦି କାନ୍ଦି ଯେବେ ମୁହିଁ

ସର୍ବସ୍ୱାନ୍ତ ହୋଇଯାଏ

ତାହା ପାଇଁ ପନ୍ଥା ଖୋଜିଖୋଜି

ତାହାରି ଅନ୍ତର ବାଣୀ

ସକଳର ମର୍ମେ ମର୍ମେ ବିଦ୍ଧ କରି କରି

ମୁହିଁ ଯେବେ ନିର୍ଯାତନା ପାଏ,

ସେ ଯେ ମୋର ପରମ ସୌଭାଗ୍ୟ,

ସେ ଯେ ମୋର ପୁଣ୍ୟ ରାଜଭୋଗ,

ସେ ଯେ ମୋର ଜୀବନର ଅନନ୍ତ ଗୌରବ !!

ସେ ସମ୍ପଦଟିକ ଧରି

ହସି ହସି ଅନନ୍ତ ସୋହାଗେ

ପାରିବି ମୁଁ ଚାଲି, ମୋର ଗତିପଥ ଆପେ ଆପେ ଗଢ଼ି;

ମୁଁ ଯେବେ ହୋଇଥାନ୍ତି କେବଳ ନିଜର ମୋର

ବାଧନ୍ତା ବାଧନ୍ତା ମୋରେ

ଶତ ଓ ସହସ୍ର ଗୁଣ ବାଧନ୍ତା

ହୁତ୍‌ପିଣ୍ଡର ସକଳ ସ୍ୱନ୍ଦନ ଥମିଯାନ୍ତା ମୋର

ପଡ଼ିଯାନ୍ତି ତଳେ !

କିନ୍ତୁ

ଅନନ୍ତ ପ୍ରାଣର ମୁହିଁ ବିରାଟ ଆଧାର

ଅନନ୍ତ ଭିତରେ ମୁହିଁ ଛନ୍ଦି ହୋଇ ରହିଅଛି ଯୁଗଯୁଗାନ୍ତର

ଭଗ୍ନ ପ୍ରାଣ ନତଜାନୁହୋଇପଡ଼ିଯିବା

ମୋହ ପକ୍ଷେ ଅସମ୍ଭବ ଅତି ।

ବିରାଟ ଏ ମହାବିଶ୍ୱ ଧରି ରଖିଅଛି ମତେ

ମୁଁ ତା’ରେ ରଖିଚି ଧରି ପ୍ରତି ମୁହୂର୍ତ୍ତରେ

ବାଢ଼ି କିବା ଅମୃତ ଶକତି !

Image

 

ଘୁଷୁରି ଗୋଠର ବାଳିକା !

 

ନିଇତି ସନ୍ଧ୍ୟାରେ ଘୁଷୁରି ଗୋଠ ଧରି,

କୁଟୀରେ ଫେରିଯାଏ ସେଇ ସେ ବାଳିକାଟି !

କୁଟୀର ପାଖେ ମୋର ଟିକିଏ ଠିଆ ହୁଏ,

ବଳକା ଭାତ ମୁଠେ ମୁଁ ଯେବେ ତା’ରେ ଦିଏ,

ତା’ କାନିଟିକ ପାତି

କେସନେ ଖାଇ ବସେ,

ଓଠରେ ହସଟିଏ

କେସନେ ଫୁଟି ଦିଶେ !

କା’ ଘର ସଙ୍ଖାଳି ସାଥିରେ ନାଇଁ ତାର

କେହି ତ ଜଣେ ସାଥୀ

କୁଟୀରେ ଫେରିଯାଏ

ସେଇ ସେ ବାଳିକାଟି !

 

ନ ଥାଏ ଯେଉଁ ଦିନ ବଳକା ଭାତ ମୋର;

ଆସି ସେ ଠିଆ ହେଲେ କୁଟୀର ପାଖେ ପାଖେ,

ମନା ମୁଁ କରିବାକୁ ଲେଉଟେ ନାଇଁ ଜିଭ,

ବିରାଟ ଆଶା ତା’ର ନିମିଷେ ଭାଜି ଯିବି !!

ଆମ୍ୱ କଦଳୀ ବା ସରାଗେ କିଣି ଆଣି

ତା’ ହାତେ ଦେଇଦିଏ ତା’ ମନ କଥା ଜାଣି;

ସରାଗେ ହସି ହସିକୁଟୀରେ ଫେରିଯାଏ

ଘୁଷୁରି ଗୋଠ ଧରି

ମୁଁ ବସି ଦେଖୁଥାଏ

କି ମଧୁ ସମ୍ପଦ

ତା’ ଟିକି ବୁକୁତଳେ ଉଠୁଚି ଥରି ଥରି !

 

ବହୁତ ଦିନ ପରେ ଛାଡ଼ି ସେ କୁଟୀର ମୁଁ,

ସୁଦୂରେ ଗଲି କାହିଁ,

ଆନ କେ ବସା କରି ବନ୍ଧୁଜନ ଧରି

ରହିଲେ ସେଠି,

ମୁଁ ତ କିଛିହିଁ ଜାଣି ନାଇଁ !

ଦିନେ ମୁଁ ସନ୍ଧ୍ୟାରେ

ଦେଖିଲି ପଥପାରେ

ଘୁଷୁରି ଗୋଠ ଧରି

ଫେରୁଚି ବାଳିକାଟି

ସେଇ ସେ କୁଟୀରର କାନ୍ଥ ବାଡ଼େ ଚାହିଁ

ଖୋଜୁଚି କାହାରେ ବା

କହୁନି ଫେଇ ପାଟି !

ନିଆଶା ଲୁହଟିଏ

ଲୋଚନୁ ଝରି ଝରି

ଧରଣୀ ତଳେ ଅବା

ନୀରବେ ଯାଏ ପଡ଼ି;

ସେ ଲୁହଟିକ ପୋଛି ନ କହି କାରେ କିଛି

ଫେରୁଚି କି ଉଦାସେ

ସେଇ ସେ ବାଳିକାଟି,

ଏଭଳି କେତେ ଆହା ବିଜନ ସନ୍ଧ୍ୟାରେ

ତା’ ଟିକି ବୁକୁତଳ

ଯାଉତ ଥିବ ଫାଟି !!

 

ଦେଖି ତ ଥିବ ସେଇ କାନ୍ଥ ବାଡ଼ ମାଟି,

ଦେଖି ତ ଥିବ ସେଇ ଘୁଷୁରି ଗୋଠଗୋଟି,

ଦେଖି ତ ଥିବ ସେଇ ପାହାଡ଼ ଲଟାବୁଦା,

ତା’ଟିକି ଜୀବନର ଥିବ ଯେ ଟିକକ୍ଷୁଧା !

ଜୀବନେ ଏଇପରି

ନୀରବେ କେତେ ଲୁହ

କାହାର ବହିଯାଏ ?

ନୀରବେ କେତେ ଲୁହ

କାହାର ବହିଯାଏ ?

କିଏ ସେ କେଉଁ ଭଳି

କେଉଁଠି ଆସେ ଯାଏ !

ସେଇ ସେ ବାଳିକାଟି

ମୋହର ମନେ ଥାଏ

ମୁଁ ତାର ମନେ ଥିବି

ଜୀବନ ଶେଷ ଯାଏ !!

Image

 

ବଞ୍ଚିତରବାଣୀ

–୧–

ଜୀବନେ ଯେତେ ଯେତେ ସେନେହ ଦେଇଥିଲି

ନିଜର କରିଥିଲି ମୁହିଁ,

ସବୁ କି ହେଲା ସତେ ମିଥ୍ୟା ଛଳନାର

କଜଳକଳା ପୋଡ଼ା ଭୂଇଁ ?

ନିୟତ ଯାଉଥିଲି ତୁମରି କୁଟୀରେ ମୁଁ

ପରାଣ ପରସନେ ନିତି,

କହି ମୁଁ ଯାଉଥିଲି, ମନର ବ୍ୟଥାମାନ,

ପ୍ରାଣର ସୁଖ ଦୁଃଖ ପ୍ରୀତି;

ମତେ ମୁଁ ଦିନେ ହେଲେ ଲୁଚାଇ ନ ଥିଲି ତ

ତୁମରି ପାଶେ ପାଶେ ରହି,

ସରଳ ସମ୍ପଦେ ମୁଁ ଫୁଟି ଉଠୁଥିଲି,

ଫୁଟାଇ ମୋର ମଧୁ ଛଇ;

ଆଖିରୁ ଲୁହ ଦେଇ, ଓଠରୁ ଭାଷା ଦେଇ

ମମତା ମନତଳୁ ଢାଳି;

ତୁମକୁ କରିଥିଲି ନିଜରୁ ନିଜର ମୁଁ,

ଶେଷକୁ ଦେଲ ମୋରେ ଛାଡ଼ି ।

 

–୨–

ଛଳନା ହଳାହଳେ ସିକ୍ତ ଏ ଧରଣୀ

ନଥିଲି ନଥିଲି ମୁଁ ଜାଣି,

ବାଧୁଚି ମତେ ଆଜି ବାଧୁଚି ବହୁବାର

ତୁମରି ଏ କୁଟୀଳ ବାଣୀ;

ଟିକିଏ ବୁଝିଲନି ? ଟିକିଏ ଦେଖିଲନି ?

ଟିକିଏ ଚାହିଁଲନି ହେଳେ

ତୁମକୁ ପ୍ରାଣ ଦେଲି ତୁମକୁ ହୃଦ ଦେଲି

ଖାଲକୁ ଠେଲି ଦେଲ ମୋରେ !

ପାରୁନି ସମ୍ଭାଳି, ବାଧୁଚି ବେଶୀ ବେଶୀ

ନେତ୍ରୁ ଲୁହ ପଡ଼େ ଖସି,

କିଭଳି ନିର୍ମମେ କିଭଳି ନିଷ୍ଠୁରେ

ମୁହେଁ ମୋ ବୋଳି ଦେଲ ମସୀ !

ଜୀବନେ ଯେତେ ଯେତେ ମାଧୁରୀ ଦିଆନିଆ

ସବୁର ହେଲା ଅବସାନ,

ମୁଁ ଆଜି ନୁହେ ତବ ପରାଣ ସମ୍ପଦ,

ଆନରୁ ବଳି ମୁହିଁ ଆନ !!

 

–୩–

ମୋର ଏ ତରଣୀଟି ଭାସିବ ଏକା ଏକା

ଆଜି ଏ ଜଳଧିର ଜଳେ,

ତୁମକୁ ଖୋଜୁଥିବି ତୁମକୁ ଡାକୁଥିବି,

ନ ଶୁଣି ଥିବ ତୁମେ ଦୂରେ ?

ପାରିବ ତୁମେ ରହି, ପଥର ବୁକୁ ବହି ?

ପାରିବ ପାରିବ ତ ତମେ,

ପାଷାଣ ପାଖେ କାହିଁ ପ୍ରାଣର ଦିଆନିଆ ?

କବିତା ବୁଝେ ସେ ବି କ୍ଷଣେ ?

ପାଷାଣ ପାଲଟିଚ ଜୀବନଟିକ ମାରି,

ହାଇରେ ! ହାଇ ! ହାଇ ! ହାଇ !

କାହାକୁ ଭଲ ଲାଗେ ବିଜନ ମରୁ ପରି

ନିୟତ ପଡ଼ିଥିବା ପାଇଁ ?

ଆଜି ଏ ଦୁର୍ବହ ଜୀବନ-ଜାଳାଟିକ

ମରମେ ମରି ମରି ଯାଏ,

କାହାକୁ କହିବ ସେ କାହାକୁ ଚାହିଁବ ସେ

ଧରାରେ କା’ରେ ନାଇଁ ପାଏ !!

 

–୪–

ମୁଁ ଛୋଟ କବିଟିଏ ନିଖିଳ ଧରଣୀରେ

ସଭିଙ୍କୁ ଦିଏ ସନମାନ,

ସଭିଙ୍କୁ ଆପଣାର ବୁକୁରେ ତୋଳି ନିଏ,

କାହାକୁ ନାଇଁ କରି ସାନ;

ସବୁରି ଆଖି ଲୁହେ ସିକ୍ତ କରି ଆଖି

ସଭିଙ୍କୁ ଚାହିଁ ରହିଥାଏ,

ସବୁରି ଗଉରବେ ଉଛଳି ଉଠେ ମୁହିଁ

ଅସୀମ ପାରାବାର ପ୍ରାୟେ !

ସବୁରି ଜୀବନର ଘାତ ଓ ପ୍ରତିଘାତ,

ମୋହରି ବୁକୁତଳେ ବାଜେ,

ସବୁରି ଅନ୍ତର-ମୋହନ ହାସଟିକ,

ମୋ ଓଠେ ଦୁଇଗୁଣ ରାଜେ !

ପରରୁ ପର କରି ଫିଙ୍ଗି ଦେଲ ମତେ,

କହିବି କାହାକୁ ବା ଯାଇ !

ଅସୀମ ଶୂନ୍ୟେ ମୁଁ ହତାଶ ନୟନରେ

ନୀରବେ ରହିଥିବି ଚାହିଁ !!

 

–୫–

ବନ୍ଧୁ ବୋଲି ତମେ ମୋର ଏ ବୁକୁତଳେ

କରିବି ନାଇଁ ଅନୁଭବ,

ଯିବିନି ଯିବିନି ମୁଁ ତୁମରି ସେ କୁଟୀରେ

ପରାଣେ ଭରି ଗଉରବ !

ନିଃସ୍ୱ ଏ ମରମ ନିବିଡ଼ ବେଦନାରେ

ବିଦ୍ଧ କେବେ ହୋଇଗଲେ,

ଯିବିନି ଯିବିନି ମୁଁ ତୁମରି ପାଶେ ସଖା !

ଥିବି ମୁଁ ପଡ଼ି କଲବଲେ;

କାହିଁକି କାହିଁକି ମୁଁ ତୁମକୁ ଭାଳି ହେବି,

ମୋହରି ଯାତ୍ରାର ପଥେ

ଏକାକୀ ଚାଲି ଚାଲି ମୁଁ ଚାଲିଥିବି ପରା

କାହାର ମୁହିଁ ନୁହେଁ ସତେ ?

କାହାର ମୁହିଁ ନୁହେଁ ? ମୋହର ନୁହେ କେହି ?

ଭିନ୍ନ ଏଥି ଜଣୁ ଜଣେ !

ବିଚାରି ଦେଲାବେଳେ ଅଶ୍ରୁ କାହିଁପାଇଁ

ନୟନେ ଜାଗେ ପ୍ରତିକ୍ଷଣେ !

 

–୬–

କାହାକୁ ନେଇ ଆମେ କାହାକୁ ଧରି ଆମେ

ଚାଲିବା ଏତେ ଏତେ କାଳ ?

କାହିଁକି ଆମେ ଏଥି ଆସିଚେ ଜଣେ ଜଣେ

କେ ଯେବେ ନୁହେ ଏଥିକାର ?

କେ ଯେବେ କାହା ପାଇଁ ଢାଳିବ ନାଇଁ ଲୁହ

ଅସୀମ ବେଦନାର ତଳେ,

କା ଗଉରବେ କିଏ ଉଲୁସି ନ ଉଠିଲେ,

ଜୀବନ କାହିଁ ଧରା ପରେ ?

ଜଣକୁ ଜଣେ ଛାଡ଼ି ପାରିବ ଏଥି ରହି

ଗୋଟିଏ ନିମେଷ କି ସତେ ?

କୋଟିଏ ଜୀବନର ପରଣ ବାଜିନି କି

ଜଣକ ଚାଲିବାର ପଥେ ?

କାହାର ମୁହିଁ ନୁହେଁ, ମୋହର ନୁହେ କେହି

ଭିନ୍ନ ଏଥି ଜଣୁ ଜଣେ

ବିଚାରି ଦେଲାବେଳେ, ଅଶ୍ରୁ କାହିଁପାଇଁ

ନୟନେ ଜାଗେ ପ୍ରତିକ୍ଷଣେ !

Image

 

ସେ’ତ ମୋହରି ସାଥି

 

ସେ’ତ ମୋହରି ସାଥି ମହାଧରଣୀ ପରେ

ତା’ରେ ଆଡ଼େଇ ଦେଇ, ମୁଁ ତ ନିୟତ ମରେ !

ତା’ର ବନ୍ଧୁ ମୁହିଁ, ତା’ର ପ୍ରିୟ ଯେ ମୁହିଁ

ମୁଁ ଗୋ ଚାଲିଚି କେଉଁ ଦୂର ଅଜଣା ଭୂଇଁ ?

ମୁଁ ଗୋ ଯୁଆଡ଼େ ଯାଏ ମୋର ଶାନ୍ତି କାହିଁ ?

ଯେବେ, ଟିକିଏ କ୍ଷଣ, ସେ ମୋ ପାଖରେ ନାଇଁ;

ତା’ର ପରାଣବ୍ୟଥାଟିକମତେହିଁ ଲାଗେ,

ତାରେ ଫିଙ୍ଗି ଦେଲି କେଉଁ ଜଳଧି ଭାଗେ !

ତା’ରେ ବକ୍ଷ ଖୋଲି ନାଇଁ କହିଲି କଥା

ତା’ରେ ଫିଙ୍ଗିଦେଲି, ଦେଇ ଦାରୁଣ ବ୍ୟଥା !

ସେ’ତ କାନ୍ଦୁ ଅଛି ଖାଳି ଅଶ୍ରୁ ଢାଳି

ମୁହିଁ ଦେଖୁଚି ଜଳ ଜଳ ନୟନ ବାଢ଼ି।

ତା’ରେ ଚରଣେ ଠେଲି ଦେଇ ଚାଲିଲି ଏକା

କାହିଁ ପାଇବି ବୋଲି ମଧୁ ମୋହନ ରେଖା;

କାହିଁ କିଛି ତ ହାୟ ମତେ ମିଳିଲା ନାଇଁ

ମୋର ସବୁ ତ ଅଛି ଖାଲି ତାହାରି ଠାଇଁ ।

ସେ ଯେ ହୃଦୟ ଭରି ମତେ ସେନେହ ଦିଏ

ତାକୁ ଚରଣେ ଦଳିଦେଲି କି ଭଳି କିହେ ?

ସେ’ତ ମୋହରି ସାଥି ସେ’ତ ମୋହରି ସାଥି

ତା’ରେ ଦେଖୁଚି କିଆଁ କରି ଭିନ୍ନ ଜାତି !

ନିଭି ଯାଇଚି ଜ୍ୟୋତି ମୋର କପାଳତଳୁ

ମୋର ବକ୍ଷ ପାଲଟିଛି ଭୀଷଣ ମରୁ !

ମୋର ଭିତରେ ମୁହିଁ, ଯେଉଁ ଟିକକ ଖାଲି

ମରି ଯାଇଚି ତା’ର ସବୁ ଅନ୍ତ ନାଡ଼ି।

ସେଇ ଶାନ୍ତି ଦବ, ସେଇ ସରାଗ ଦବ,

ମୋର ଆନନ୍ଦର ସେଇ କେନ୍ଦ୍ର ହବ;

ତା’ରେ ଛାଡ଼ିବି ନାଇଁ ତା’ରେ ଛାଡ଼ିବି ନାଇଁ

ମୋର ଜୀବନ ଗୋଟି ଖାଲି ତାହାରି ପାଇଁ ।

ମୁଁ ଗୋ, ମୋହଠି ଆଉ ନାଇଁ ଗୁଡ଼େଇ ହେବି

ମୋର, ସମସ୍ତ ମୁହିଁ ତାହାରେ ଦେବି,

ତା’ର ପରଶ ପାଇ ଯିବି ସରାଗେ ଫିଟି

ମୁଁ ଯେ ତାହାର ସେ’ଯେ ମୋର ପରାଣପ୍ରୀତି।

Image

 

ବିଦାୟ ! ଆଲମ !

 

ବିଦାୟ ! ଆଲମ ! ବିଦାୟ ବିଦାୟ ବିଦାୟ ଆଜି

ଛାଡ଼ିଯାଅ ଦେଇ କିବା ସଂପଦ ରାଜି !

ତୁମେ ଯାଉଅଛ ପଛେ ମୁଁ ଚାଲିଚି ତବ

ଆଉ କି ବିଭବ ମତେ ଅବା ଭରି ଦବ ?

ଯାଉଚ ଆଲମ ! ଯାଉଚ କୁଟୀରେ ଚାଲି

ଫେରି ଚାହିଁବନି ? ଆଉ ଆସିବନି କାଲି ?

ଯାଉଚ ଆଲମ ! ଏ ପଥେ ଦଣ୍ଡେ ରହ

ବ୍ୟଥା ମୋର କିଆଁ ହୁଏ ଏତେ ଦୁଃସହ ?

ଯାଉଚ ଆଲମ ! ହାତ ରଖି ତୁମ ହାତେ

ଆଉ ଟିକେ ମୁହିଁ ଚାଲିବି ତୁମରି ସାଥେ

ଆଉ ଟିକେ ମୁହିଁ ତୁମରେ ରହିବି ଚାହିଁ !

କାନ୍ଦିବି ଟିକେ ଲୋଚନୁ ଲୋତକ ବାହି;

ଯାଉଚ ଆଲମ ! ଯାଉଚ କୁଟୀରେ ତବ

ତୁମରେ ଆଉ ମୁଁ କରେ ଟିକେ ଅନୁଭବ;

ଆଉ କେବେ ଦେଖା ଜୀବନେ ହେବ ବା ନାଇଁ

ଦଣ୍ଡେ ରହ ହେ ଏଇ ପଥେ ମୋହ ପାଇଁ !

ଯାଉଚ ଆଲମ ! ପଲ୍ଲୀ କୁଟୀରେ ତବ

ସକଳ ମମତା ମାୟା କି ବରଜି ଦବ ?

ମୋ ପାଇଁ ଘାଣ୍ଟି ହେବନି କି ତୁମ ମନ ?

ଭାଳି ହେବନି ମୁଁ ଥିଲି ତୁମ ପ୍ରିୟଜନ !

ଯାଉଚ ଆଲମ ! ଏଇ ଆଖୁକ୍ଷେତ ତଳେ

ତୁମରି ପଲ୍ଲୀ କୁଟୀର ଦିଶଇ ମୋରେ;

ମିଶିଯିବ ସେଇ ବନ ବିଲ ତୋଟାମାଳ

ଲେଉଟି ଆଉ କି ଚାହିଁବନି ମତେ ବାରେ ?

ଯାଉଚଆଲମ ! ଦରିଦ୍ର ଏଇ କବି,

ତୁମରେ କାହିଁକି ? ଯାଏ ଏତେ ଅନୁଭବି ?

ଜୀବନେ ତୁମକୁ ଏତେ ପାଇବାର ଭଲ

ବୁଝିପାରେ ଆଜି ହୋଇଗଲୁଁ ଅନ୍ତର !

ଯାଉଚ ଆଲମ ! ଏ ବାଟ ବୁଲାଣି ମୋଡ଼େ

ମୁହିଁ ଛାଡ଼ିଯିବି, ତୁମେ ଛାଡ଼ିଯିବ ମୋରେ;

ତୁମେ ମୁହିଁ ଦିହେଁ ପରସ୍ପରକୁ ଚାହିଁ

କାନ୍ଦିବା ଟିକେ ଲୋଚନକୁ ଲୋତକ ବାହି

ହେ ମୋର ଆଲମ ! ସ୍ନେହର ଆଲମ ମୋର !

ନିବିଡ଼ୁ ନିବିଡ଼ ହୁଏ ବଂଧନ ଡ଼ୋର !

ଗଭୀରୁ ଗଭୀର ମମତା ଘନାଇ ଆସେ

ତୁମେ ମୋହ ପାଶେ, ମୁହିଁ ଯେ ତୁମରି ପାଶେ !

ଲୁହରେ ଲୁହରେ କଥା କହି କହି ଖାଲି

ତୁମେ ଛାଡ଼ି ଯିବ, ମୁଁ ତୁମରେ ଯିବି ଛାଡ଼ି !

କେହି କାହା ଲୁହ ଆଉ ତ ଦେଖିବା ନାଇଁ,

ଆକାଶ ଧରଣୀ ରହିଥିବ ଯାହା ଚାହିଁ !!

ହେ ମୋର ଆଲମ ! ପ୍ରାଣର ଆଲମ ମୋର !

ମମତା ଉପରେ ମମତା ବଢ଼ଇ ଘୋର !

ମରମେ ମରମେ ଆଶ୍ଳେଷ ଜାଗି ଉଠେ,

ବୁକୁ ତଳେ ତଳେ କୋହ କମ୍ପନ ଫୁଟେ !

ହେ ମୋର ଆଲମ ! ହେ ମୋର ଆଲମ ! ପ୍ରିୟ !

ମିଶିଯାଏ ଆଜି ମୋ ଲୁହରେ ତୁମ ଲୁହ !

ମୋ ଆଖିରେ ଟିକେ ମିଶାଇ ତୁମରି ଆଖି

‘‘ଛାଡ଼ି ତ ପାରୁନି’’ କହ ହେଲେ ବାରେ ଡ଼ାକି !

ଯାଉଚ ଆଲମ ! ଯାଅ ! ମୁଁ ଲେଉଟି ଯାଏଁ

ପଥପ୍ରାନ୍ତେ ମୁଁ ଅଟକି କିପାଁ ଚାହେଁ ?

ତୁମେ ଚାଲିଅଛ ଦୂର ଆଖୁଖେତ ଧାରେ

ଫେରିପଡ଼ି କିଆଁ ଚାହେଁ ମୁହିଁ ତମ ଆଡ଼େ !

ଚାଲିଚ ଆଲମ ! ଦୂରୁ ଦିଶିଯାଅ ମତେ

ଠିଆ ହୋଇ ଚାହେଁ ଏ ନୀଳ ଝରଣା ତଟେ;

ଆଖୁକ୍ଷେତ ଧାରେ ସୁଦୂର ପଲ୍ଲୀ ଗାଏଁ।

ଅଧେ ଲୁଚି ଅଧେ ଦିଶି ଯାଅ ତୁମେ ପ୍ରାୟେ !

ଚାଲିଚ ଆଲମ ! ଚାଲିଚ କୁଟୀର ପୁରେ

ରହିଲଣି ଏବେ ମୋହଠାରୁ କେତେ ଦୂରେ !

ତୁମେ ତ ଚାଳିଚ ! ମୁଁ ତ ଫେରି ପାରୁନାଇଁ

ଏ ଝରଣା ତଟେ ରହିଚି ତୁମରେ ଚାହିଁ !!

Image

 

ସୃଷ୍ଟି

 

କାହାର ଏହି ବିପୁଳ ସୃଷ୍ଟି ବୁଲୁଚି ଏଥି ଉଦାସେ ମୁହିଁ

ଦେଖୁଚି ନୀଳ, ପାହାଡ଼ମାଳା ଦେଖୁଚି ବିଲ କାନନ ଭୂଇଁ ।

ଦେଖୁଚି ଫୁଲ କାନନେ ଫୁଟେ, ଶଇଳ ଚୂଳେ ବାଦଲ ଚରେ

ସନ୍ଧ୍ୟ ହେଲେ ତାରକା ସୋଭା ବସଇ ନୀଳ ଆକାଶ ତଳେ ।

ବର୍ଷା ଆସେ, ବିଜୁଳି ମାରେ, ତପ୍ତଧରା ଶାନ୍ତ ହୁଏ,

ଶରତ ରାତି ସ୍ୱପ୍ନପୁରୀ ଧରଣୀପରେ ବିରଚି ଯାଏ ।

ବସନ୍ତର ସ୍ପର୍ଶ ଲଭି ଫୁଟଇ ପିକ ମଧୁର ଗାନ,

ମଳୟ କେଉଁ ସୁଦୂରୁ ଆସି ମୁଗ୍‌ଧ କରେ ସବୁରି ପ୍ରାଣ ।

କେତେ ଯେ ସଖା ବନ୍ଧୁ ଏଥି କାହାର ତୁଲେ ଆଳାପ କରେ,

ସେ କେଉଁ ପ୍ରିୟା ବକ୍ଷେ ଢଳି ପୀୟୂଷ ପିଏ ସରାଗ ଭରେ !

କିଏସେ ମତେ ନିନ୍ଦା କରେ ପରାଣି ଭରି ପାଏ କେ ଭଲ

କାହାର ମୁହିଁ ଅବଜ୍ଞାର ପାତ୍ର ହୁଏ ନିରନ୍ତର !

ଉଷ୍ମକାର ଅଶ୍ରୁଧାରେ ସିକ୍ତ ହୁଏ ଧରଣୀ ତଳ,

କାହାର ଓଠେ ହାସ୍ୟ ଫୁଟେ ଆନନ୍ଦ ଓ ଗୌରବର ।

କାହାର ଏଇ ବିପୁଳ ସୃଷ୍ଟି ବୁଲୁଚି ଏଥି ଉଦାସେ ମୁହିଁ

ଲକ୍ଷ ଶୋହା ପରାଣତଳ ନୀରବେ ଯାଏ ନିୟତେ ଛୁଇଁ

ପ୍ରଶ୍ନ ଉଠେ ବକ୍ଷତଳେ କାହିଁକି ମୁହିଁ ଏଇଠି ବୁଲେ ?

ଶୁଣଇ ବନକାକଳି ଧାରା, ବସଇ ଦୂର ପାହାଡ଼ ଚୂଳେ

ସାଗରକୂଳେ କାହିଁକି ବସେ ଦେଖଇ ନୀଳ ଉର୍ମିମାଳା

ଫୁଟିଲେ ଫୁଲ ଗନ୍ଧେ ତାର ବିସୋରି ନିଏ ଦୁଃଖ ଭାରା

ନିଶୀଥ ନୀଳ ଗଗନେ ମୁହିଁ କେଉଁ ତାରାରେ ରହେ ଯେ ଚାହିଁ

ସେ ମହାଦୂରେ ବନ୍ଧନ କି ମୋହର ଅଛି ମୁଁ ଜାଣେ ନାଇଁ !

ଶରତ ରାତି କାହିଁକି ମତେ ଲାଗଇ ସତେ ଏଭଳି ଭଲ

ଇଚ୍ଛା ହୁଏ ଜ୍ୟୋତ୍ସ୍ନାଲୋକେ ସନ୍ତରିବି ମୁଁ ଅବିରଳ ।

ଜୀବନେ ଯାରେ କରିଚି ସାଥି ତାହାରି ହାସ ତାହାରି କଥା

କାହିଁକି ମତେ ଲାଗଇ ଭଲ କାହିଁକି ଦିଏ ଏ ମାଦକତା ।

ନିରନ୍ନର ନୟନତଳୁ ଦୈନ୍ୟବେଳା ଯେ ଲୁହ ବହେ

ତାହାରେ ଚାହିଁ ନୀରବ ହୋଇ କିମ୍ପା ମୁହିଁ ଅଟକି ରହେ ?

ଆପଣା ବ୍ୟଥା ବଖାଣି କିଏ କହିଲେ ମୋରେ ପଦିଏ ବାଣୀ

ମୋହରି ନେତ୍ର-ଯୁଗଳୁ କିମ୍ପା ବହଇ ଅସରନ୍ତି ପାଣି ?

ପ୍ରଶ୍ନ ଉଠେ ବକ୍ଷତଳେ କାହିଁକି ମୁହିଁ ଏଇଠି ବୁଲେ !

ଅସୀମ ତୁଲେ ଛନ୍ଦିହୋଇ କି ଶିରୀ ପାଏ ସୃଷ୍ଟିକୂଳେ?

ଏ ମହା ସୃଷ୍ଟି କାହିଁକି ମତେ ଲାଗଇ ଏତେ ନିଜର ପରି

ଏ ମହା ସୃଷ୍ଟି ପ୍ରତି ରେଣୁରେ ସେନେହ କିମ୍ପା ଦିଏ ମୁଁ ଭରି ?

ଏତେ ଯେ ଏହୁ ନିଜର ମୋର ଇଚ୍ଛା ନୁହେ ଯିବି ମୁଁ ଛାଡ଼ି

ସୃଷ୍ଟି ପ୍ରତି ରେଣୁରେ କିବା ବନ୍ଧା ମୋର ଜୀବନ ନାଡ଼ି !!

ପୃଥକ୍‌ ମୁହିଁ ଭିନ୍ନ ମୁହିଁ ନିମିଷେ ମୁଁ ତ ପାରୁନି ଭାଳି

ଭିତରେ ମୋର ସୃଷ୍ଟି-ବୀଣା ନିତ୍ୟ ବାଜେ ପୀୟୁଷ ଡାଳି ?

ସୃଷ୍ଟି ପ୍ରତି ଅନ୍ତରେ ମୁଁ କରୁଚି ନିତି ଆଲିଙ୍ଗନ

ମୋହର ଏଇ ସୃଷ୍ଟି ସାରା-ଆକାଶ ବିଲ ପାହାଡ଼ ବନ !

ମୋହର ଏଇ ସୂର୍ଯ୍ୟ ଚନ୍ଦ୍ର ମୋହର ଏଇ ସାଗର ହ୍ରଦ

ଅସୀମ ଏଇ ଜନତା ମୋର ବକ୍ଷେ ଢାଳେ କି ଆନନ୍ଦ !

ସବୁରି ତୁଲେ ବନ୍ଧା ମୁହିଁ ଛନ୍ଦା ମୁହିଁ ଅସୀମ କାଳ

ଯୁଆଡ଼େ ଚାହେଁ ଦେଖଇ ଯେହ୍ନେ ମୋହରି ବୁକୁ ରକ୍ତଧାର ।

ଏହାରି କୋଳେ ଯାଏ ମୁଁ ହଜି ଅସୀମ କେଉଁ ସମୟ ପାଇଁ

ସୃଷ୍ଟି ତହୁଁ ବଳି ତ ବଡ଼ ମୋହର ଆଉ କିଛିହିଁ ନାଇଁ ।

ଏ ମହା ସୃଷ୍ଟି କିଭଳି ମତେ ଲାଗଇ ଏତେ ନିଜର ପରି

ଏ ମହା ସୃଷ୍ଟି ପ୍ରତି ରେଣୁରେ ସେନେହ କେତେ ଦିଏ ମୁଁ ଭରି !!

Image

 

ହୋଟେଲ-ପିଲା

 

କାହାର କୁଟୀରନିଧି କାମ କରେ ପ୍ରତିନିତି ହୋଟେଲ ଭିତରେ,

ଦୀର୍ଘ ଦୁଇ ମାସ ହେଲା ମତେ ସେ ପାରିନି ଦେଖି,

ମୋ କଥା ସେ ଭାଳେ ବେଳେ ବେଳେ,

ମତେ ମନେ ପକାଏ ସେ ଅନ୍ତରେ ଅନ୍ତରେ

ଦୁଇ ମାସ ପରେ ଯେବେ ଆସି ଏଥି ପହଞ୍ଚିଲି ମୁହିଁ

ମୋରେ ଦେଖି କୋଟିନିଧି ପାଇବାର ପରି

ଉଷତେ ଅମୃତ ହାସ ଓଠତଳେ ଉଠିଲା ସଞ୍ଚରି !

ପଚାରିଲି ‘‘ଭଲ ସବୁ ତୋର ? କାହିଁକି ଯାଇଚୁଝଡ଼ି ?

ଦେହ କି ଖରାପ ଥିଲା ?’’

ମୋର ଏଇ ଟିକକ ସଙ୍ଖୋଳା ପଚରା ଭିତରେ

ତା’ ଟିକି ଅନ୍ତରତଳେ

କିବା ସୀମାହୀନ ଆନନ୍ଦର ମାୟା କରୁଥିଲା ଲୀଳା !

 

ଦରିଦ୍ର ଗରିବ ଅରକ୍ଷ ପିଲାଟିଏ ସତ !

କିନ୍ତୁ ତା’ ହୃଦୟ ତଳେ ଅମୃତର ମଧୁଧାରା

କଳତାନ ରଚି ଯେହ୍ନେ ଚାଲିଚି ସନ୍ତତ !

ମତେ ସିଏ ଭାଳିହୁଏ, ମତେ ସେ ପଚାରେ,

 

କେବେ ମୁଁ ଫେରିବି ବୋଲି

ଚାହିଁ ଥାଏ ଆଖିଫେଇ ଯେହ୍ନେ ଚାରି ଆଡ଼େ !

 

ଏ ଅନନ୍ତ ପୃଥିବୀ ଭିତରେ ମୋର କେତେ ସାଙ୍ଗ ସାଥି,

ମୋର କେତେ ପ୍ରିୟ ପରିଜନ,

ମୋର କେତେ ଆତ୍ମୀୟ ସୋଦର,

ସକଳର ଅବଜ୍ଞା ଓ ଅବହେଳା

ମୁହୂର୍ତ୍ତ ମୁହୂର୍ତ୍ତ ଧରି

ମତେ ସୀମାହୀନ କଲବଲ କରୁଥିଲାବେଳେ,

କେଉଁ ଅଜ୍ଞାତ କୋଣର ଅମୃତ ଅନ୍ତରଟିଏ

ମତେ କେହ୍ନେ ରଖିଅଛ ଧରି

ଆପଣାରୁ ଆପଣାର କରି !!

 

ଏକୋଇ ମୁହୂର୍ତ୍ତ ଛିନ୍ନ-ବୃନ୍ତ ହୋଇ ରହିବାକୁ

ରାଜି ନୁହେ ତାର ସେଇ ଅତଳ ଅନ୍ତର !

କି ମଧୁ ସମ୍ପଦ କରିବଇଁ ଆଶା

ଏଇ ଟିକକରୁ ବଳି ?

ଜୀବନ ଯେଉଁଠି ପ୍ରାଣର ଆଶ୍ଳେଷ ଦେଇ

ଜୀବନରେ ଖାଲି ଭଲ ପାଏ

ସେଇଠି ବିଶ୍ୱର କି, ଅନନ୍ତ ଶିରୀ

ପଡ଼ିନାଇଁ ଝଡ଼ି !!

ଟିକିଏ ସେନେହ ମମତା,

ଟିକିଏ ଆଶା ଆଶ୍ୱାସନା,

ପ୍ରାଣବୋଳା ଟିକିଏ ସହାନୁଭୂତି;

ଯେବେ କିଏ ପ୍ରାଣ ଭରି ଏଥି

ଦେବନାଇଁ ଢାଳି

ଏଇ ମହା ପୃଥିବୀରେ ବଂଚି ରହିବାର

ଅଭିଶାପ ଅଭିଶାପ ଖାଲି !!

 

ହେ ମୋର ବାଳକ

କିପରି ବୁଝିଲ ଅବା ତମେ

ମୋ ଦରିଦ୍ର ଜୀବନର ଯେତେ ମାନ ଅପମାନ

ଝଡ଼ ଝଞ୍ଜା ବା ଯେତକ;

କିପରି ବୁଝିଲ ତମେ ସରଳ ଅନ୍ତରେ ତବ

ମୋ ଲୁହର ପ୍ରତି ବିନ୍ଦୁ ତଳେ

କି ସମ୍ପଦ କି ଐଶ୍ୱର୍ଯ୍ୟ ଟିକକ

ଖୋଜୁଥିଲି ମୁହିଁ,

ଏତେ ଦିନ ଧରି,

ନ ପାଇ ନ ପାଇ କେହ୍ନେ

ଯାଉଥିଲି ହତାଶାର ଅନନ୍ତ ସମୁଦ୍ର ତଳେ ବୁଡ଼ି !

କେଉଁ ସୁଦୂର ପଲ୍ଲୀର, ଅବୋଧ ବାଳକ ତମେ !

କିପରି ଜାଣିଲ ମୋର

ହୃଦୟ ତଳର ଗୋପନ ଯନ୍ତ୍ରଣା !

ଦେବା ପାଇଁ ଯାରେ ଅପସାରି,

ଶତ ଚେଷ୍ଟା କରି ପାରିନାଇଁ ମୁହିଁ,

ଚାଲିଚି ବିପନ୍ନ ପଥିକ ପରି ଚତୁର୍ଦ୍ଦିଗେ

ଆତୁରତା ଭରା କରଯୁଗଳ ପ୍ରସାରି ।

 

କି ସମ୍ପଦ ତୁମରେ ମୁଁ ଦେବି ?

କିଛି ପାରିବିନି ଦେଇ,

ସୀମାହୀନ ମମତାର

କାହିଁ ପୁରସ୍କାର ?

ତୁମେ ରଖିଗଲ ଯେଉଁ ସ୍ୱର୍ଣ୍ଣଗାର

ମୋ ହୃଦୟ ବେଦିକାର ପରେ,

ରହିଥିବ ଯୁଗ ଯୁଗାନ୍ତର ।

 

ସେଇ ଟିକ ଧରି,

ପ୍ରାଣର ଅମୃତ ହାସ

ବୁକୁତଳୁ ଉଠୁଥିବ ଝରି;

ଜୀବନରେ ସେଇଟିକ ଚାହେ

ତା’ ଭିତରେ ପ୍ରାଣର ଯେ

ସାର୍ଥକତା ସବୁଟିକ ପାଏ !!

Image

 

ଆଶ୍ରୟ

 

ସବୁ କାହିଁ ଲୁଚିଗଲା, ତୁମେ କିନ୍ତୁ ପାରିଲନି ଲୁଚି,

ଆଲୁଅ ଭିତରେ ତମେ, ଅନ୍ଧାର ଭିତରେ ତମେ,

ଆଲୁଅ ଓ ଅନ୍ଧାରର ଲୁଚକାଳି ଖେଳରେ ବି ତମେ,

ଏ ଜୀବନର ଏ ପାରରେ ତମେ, ଆର ପାରରେ ବି ତମେ !

ଆନନ୍ଦର, ଅମୃତର, କଲ୍ୟାଣର, ସବୁ ଆଶା ଭରସାର,

ସକଳ ସ୍ୱପ୍ନର

ଗୋଟିଏ ସୁନ୍ଦର ପ୍ରାଣବନ୍ତ ଛବି ପରି

ରହିଅଛ ମୋରହୋଇ ଜଣେ !!

 

ମୁଁ ରାଜ-ରାଜେଶ୍ୱର ହୁଏ, ଦାଣ୍ଡର ଭିକାରୀ ହୁଏ,

ସାଧରଣ ନଗଣ୍ୟ ଜୀବ ହୁଏ,

ଅଥବା ପୋକ ମାଛି ପରି, ରାଜପଥର କେଉଁ କଡ଼େ ପଡ଼ି

ଧରା ପୃଷ୍ଠରୁ ନିଶ୍ଚିହ୍ନ ହୋଇ ଯାଏଁ;

ମୋର ସେଥିରେ ଦୁଃଖ ନାଇଁ;

ମୁଁ ଗୋଟିଏ ସବୁଜ ଘାସ ପତ୍ର ପରି

ତୁମ ବୁକର କେଉଁ ଅଜଣା କୋଣରେ ଟିକିଏ-

ଢଳି ଯାଉଥାଏଁ,

 

ମତେ ସେଇ ଗଉରବ ଟିକକ ଦିଅ !

ସେଇତ ମୋର ପୃଥିବୀରେ ଅନନ୍ତ ଆଶ୍ରୟ !!

Image

 

ଟିପ୍‌ପଣୀ

ସୋରଡ଼ା ଘାଇର ବନ୍ଧ ଉପରେ

 

ଗଞ୍ଜାମ ଜିଲାରେ ସୋରଡ଼ା ଘାଇର ଦୃଶ୍ୟ ଅତ୍ୟନ୍ତ ରମଣୀୟ ! ଆସିକା ହାଇସ୍କୁଲରେ ଶିକ୍ଷକତା କରୁଥିବା ସମୟରେ କବି ଥରେ ସୋରଡ଼ା ବୁଲି ଯାଇଥିଲେ । କବି ତାଙ୍କର ଜଣେ ସାହିତ୍ୟିକ ବଂଧୁ ଶ୍ରୀମାନ ବୃନ୍ଦାବନ ପାତ୍ରଙ୍କ ସହିତ ସୋରଡ଼ା ଘାଇର ବନ୍ଧ ଉପରେ ବସି ଜ୍ୟୋତ୍ସ୍ନା ରାତିରେ ପ୍ରକୃତିର ସୌନ୍ଦର୍ଯ୍ୟ ଉପଭୋଗ କରୁଥିଲେ । ଏହା ପୂର୍ବରୁ କବି ଓ ତାଙ୍କର ରକ୍ତ ବନ୍ଧୁ ଗଞ୍ଜାମ ଜିଲାର କୌଣସି ଗୋଟିଏ ଶିକ୍ଷାନୁଷ୍ଠାନରେ ଏକତ୍ର ଶିକ୍ଷକତା କରୁଥିଲେ ଏବଂ ଛାତ୍ରସମାଜର ସାଂସ୍କୃତିକ ଦିଗର ବିକାଶ ପାଇଁ ଯଥେଷ୍ଟ ଧ୍ୟାନ ଦେଉଥିଲେ । ଫଳରେ ଛାତ୍ରସମାଜ ଓ ଜନସମାଜରେ ଉଭୟ ବଂଧୁଙ୍କର ଯଥେଷ୍ଟ ଆଦର ଥିଲା । ସ୍ୱାଧୀନଚେତା କବି ଓ କବି ବନ୍ଧୁ ଶ୍ରୀମାନ୍‌ ବୃନ୍ଦାବନ ଉକ୍ତ ଶିକ୍ଷାନୁଷ୍ଠାନରେ ଅସତ୍ୟ ଅନ୍ୟାୟ ଅଧର୍ମ ଦେଖିଲେ ସହି ପାରିନଥିଲେ । ଏଥିଲାଗି କବି ଓ ତାଙ୍କର ବଂଧୁ ଉକ୍ତ ଶିକ୍ଷାନୁଷ୍ଠାନର ପ୍ରଧାନ କର୍ମକର୍ତ୍ତାଙ୍କର ଚକ୍ଷୁଶୂଳ ହେଲେ ଏବଂ ସେଇ ପ୍ରଧାନ କର୍ମକର୍ତ୍ତା କବି ଓ ତାଙ୍କ ବନ୍ଧୁଙ୍କୁ ନାନା ଭାବରେ ହଇରାଣ କରି ବହୁ ଦୂର ଜାଗାକୁ ବଦଳି କରିଦେଲେ । ‘ମାରୁଆ’ ପାହାଡ଼ ଖଲିକୋଟର ସ୍ୱନାମଧନ୍ୟ ପାହାଡ଼ ଓ ‘ନିର୍ମଳଝର’ ନାମକ ଗୋଟିଏ ଝରଣା ମାରୁଆର ପାଦତଳେ ବହି ଯାଉଛି । କବି ଓ ତାଙ୍କ ବଂଧୁ ସେଠି ଶିକ୍ଷକତା କରୁଥିବାବେଳେ ଗୋଟିଏ ବସାରେ ରହୁଥିଲେ ।

 

ଚାଲିବୁ, କିନ୍ତୁ....

 

ଖଲିକୋଟ ହାଇସ୍କୁଲରେ ଶିକ୍ଷକତା କରୁଥିବାବେଳେ ଏ କବିତାଟି ଲେଖାଯାଇଛି । ଖଲିକୋଟରେ କବିଙ୍କ ବସା ପାଖରେ ଗୋଟିଏ ଗାଈ ଚରୁଥାଏ । ତାର ଗୋଡ଼କୁ କିଏ ଜୋରରେ ବାଡ଼େଇ ଦେଇଥିବାରୁ ଗାଈଟି ମର୍ମନ୍ତୁଦ କଷ୍ଟ ପାଉଥାଏ ଏବଂ ଏଣେ ତେଣେ ବଡ଼ କଷ୍ଟରେ ବୁଲି ଚରୁଥାଏ । ଗାଈଟିର ଏଇ ଅସହାୟ ଓ କରୁଣ ଅବସ୍ଥା କବିଙ୍କ ଲେଖନୀରେ ରୂପାୟିତ ହୋଇଛି ।

 

ବିଶ୍ୱନାଥ ବ୍ରହ୍ମା

 

ଶ୍ରୀମୁକୁନ୍ଦପୁର ପୁରୀ ଜିଲ୍ଲାରେ ଗୋଟିଏ ପ୍ରଧାନ ବ୍ରାହ୍ମଣ ଶାସନ । ଏଇ ଶାସନରେ ବିଶ୍ୱନାଥ ବ୍ରହ୍ମା ବୋଲି ଜଣେ ସାମନ୍ତ ବ୍ରାହ୍ମଣ ଥିଲେ । ପ୍ରତିଦିନ ତାଙ୍କ ପାଇଁ ଭାତ ବଢ଼ାହେଲାବେଳେ ସେ ତାହା ନିଜେ ଭୋଜନ ନ କରି ଗୋଟିଏ ଗରୀବ ଅତିଥିକୁ ଡ଼ାକି ଦେଇ ଦିଅନ୍ତି । ଏ ଏପରି ପ୍ରାୟ ପ୍ରତିଦିନ କରନ୍ତି ଏବଂ ଘରେ ଯାହା କିଛି ଅଳ୍ପ ଭାତ ତର୍କାରି ଥାଏ, ତାକୁ ଆନନ୍ଦରେ ଖାଇ ଚଳିଯାନ୍ତି ।

 

କବିର ଜବାବ

 

କବିଙ୍କର ଗୋଟିଏ ଉଚ୍ଚକୋଟୀର କବିତା ‘ମୂଷାହାଡ଼ି’ ‘ରୂପାୟନ’ କବିତା ପୁସ୍ତକରେ ପ୍ରକାଶ ପାଇବା ପରେ ଗଞ୍ଜାମ ଅଞ୍ଚଳରେ କୌଣସି ସ୍କୁଲର ଜଣେ ପ୍ରଧାନ ଶିକ୍ଷକ ‘ମୂଷାହାଡ଼ି’ର କେତେକ ପଂକ୍ତି ତାଙ୍କ ପ୍ରତି ଆକ୍ଷେପକରି ଲେଖାଯାଇଛି ବୋଲି, କବିଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ । କବିଙ୍କୁ କର୍ମକ୍ଷେତ୍ରରୁ ବାହାର କରିଦେବା ପାଇଁ ତୁମୂଳ ଚେଷ୍ଟା ଲଗାଇଥିଲେ । ଏ ସବୁ ଦେଖି କବିଙ୍କ ପ୍ରାଣରେ ସେତେବେଳେ ଯେ ଭାବ ଆସିଥିଲା, ‘କବିର କଳ୍ପନା’ କବିତାରେ ତାହା ରୂପାୟିତ ହୋଇଛି ।

 

ବିଦାୟ ! ଆଲମ !

 

କବି ଗୁରାଣ୍ଡି ହାଇସ୍କୁଲରେ ଶିକ୍ଷକତା କରିବା ସମୟରେ କବିତାଟିର ସୃଷ୍ଟି । ଆଲମ କବିଙ୍କର ଜଣେ ପ୍ରିୟତମ ଛାତ୍ର । ଆଲମ ମାଟ୍ରିକ୍‌ ପରୀକ୍ଷା ପରେ ସ୍କୁଲରୁ ବିଦାୟ ନେଇ ଗଲାବେଳେ, କବି ତାଙ୍କୁ ଅଧବାଟ ଯାଏ ଛାଡ଼ିବାକୁ ଯାଇଥିଲେ । କବି ଭାବିଥିଲେ ତାଙ୍କ ପ୍ରିୟ ଛାତ୍ରଙ୍କ ସହ ବୋଧହୁଏ ଆଉ ଦେଖା ହବନି । .....ବହୁସ୍ଥାନରେ ଆଖୁଖେତମାନ ଦେଖାଯାଏ ।

Image